ଦୂର୍ଘଟଣା ଓ ସରକାରୀ ନିୟମ ନମାନିବା ମହଙ୍ଗା ପଡିଲା
ପାରାଦ୍ୱୀପ,(ପିତବାସ ପ୍ରଧାନ):ପାରାଦ୍ୱୀପ ଉପକଣ୍ଠ ଉଦୟବଟ ଠାରେ ଥିବା ପାରାଦ୍ୱୀପ କଲସିନର କାରଖାନାରୁ ଶୁକ୍ରବାର ଦିନ ପ୍ରଶାସନ ବନ୍ଦ କରି ଦେଇଛି । ଘଟଣାରୁ ପ୍ରକାଶ ଯେ, ଗତ ଗୁରୁବାର ଦିନ ପାରାଦ୍ୱୀପ କଲସିନର କମ୍ପାନୀ ଅଧିନରେ କାମ କରୁଥିବା ଜନୈକ ଶ୍ରମିକ କମ୍ପାନୀ ପରିସରରେ ଏକ ନିର୍ମାଣଧିନ ଘର ର ପ୍ରାୟ ୩୦ ଫୁଟ ଉପରେ ଚଢି ଆଜବେଷ୍ଟସ୍ ପକାଉଥିଲା । କୌଣସି କାରଣରୁ ହଠାତ୍ ଆଜବେଷ୍ଟସ୍ ଭାଙ୍ଗି ଯାଇଥିଲା ଏବଂ ଶ୍ରମିକ ଜଣକ ତଳକୁ ପଡିଯାଇଥିଲେ । ତାଙ୍କର ମୁଣ୍ଡ ଫାଟିି ଯିବା ସହ ଦେହ ଓ ଆଖିରେ ଆଘାତ ଲାଗିଥିଲା । ଫଳରେ କମ୍ପାନୀ ପକ୍ଷରୁ ତାଙ୍କୁ ଅଠରବାଙ୍କୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କମ୍ପାନୀ ପକ୍ଷରୁ ଶ୍ରମିକ ମାନଙ୍କୁ ସୁରକ୍ଷା ଉପକରଣ ଯୋଗାଇ ଦିଆଯାଉନଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ଶ୍ରମିକ ମାନେ ଅଭିଯୋଗ କରିଥିଲେ । କରୋନା ସମୟରେ ଅଳ୍ପ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରାଯିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶ ଅନୁଯାୟୀ ପାରାଦ୍ୱୀପ କାଲ୍ସିନର ୩୯ ଜଣ କର୍ମଚାରୀଙ୍କୁ ନେଇ କାମ କରିବା କଥା ମାତ୍ର କମ୍ପାନୀ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରି ୧୦୦ ରୁ ଅଧିକ କର୍ମଚାରୀ କାମରେ ନିୟୋଜିତ କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପାଇବା ପରେ ପାରଦ୍ୱୀପ ଅତିରକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିର କମ୍ପାନୀ ପରିଦର୍ଶନ କରିବା ସହ କମ୍ପାନୀ ର କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


