ମୁନିଗୁଡା ବସଷ୍ଟାଣ୍ଡରେ କାମରେ ଆସୁନି ଶୌଚାଳୟ, ଯାତ୍ରୀ ହନ୍ତସନ୍ତ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯାତ୍ରୀ ମାନଙ୍କ ସୁବିଧା ଲାଗି ନିର୍ମାଣ କରିଥିଲେ ନୂତନ ବସଷ୍ଟାଣ୍ଡ ହେଲେ ରାୟଗଡା ଜିଲ୍ଲା ମୁନିଗୁଡାର ଓଏସଆରଟିସି ଦ୍ୱାରା ପରିଚାଳିତ ସହୀଦ ଲଷ୍ମଣ ନାୟକ ଅଟଳ ବସଷ୍ଟାଣ୍ଡରେ ଦିନକୁ ଦିନକୁ ଦେଖାଯାଉଛି ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା।ଏଠାରେ ଥିବା ଶୌଚାଳୟ ଏବେ ଯାତ୍ରୀଙ୍କ କାମରେ ଆସୁନି,ଯାହାଦ୍ୱାରା ବିଭିନ୍ନ ସ୍ଥାନରୁ ଆସୁଥିବା ଓ ଯାଉଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ନୂତନ ବସଷ୍ଟାଣ୍ଡ ହେଲା ପରେ କିଛି ଦିନ ଧରି ସବୁ ଠିକରେ ଚାଲିଥିଲା।ବିଭାଗୀୟ କର୍ମଚାରୀ ମାନଙ୍କ ନିୟନ୍ତ୍ରଣ ଅଭାବରୁ ଧୀରେ ଧୀରେ ବସଷ୍ଟାଣ୍ଡର ଶୌଚାଳୟ ବ୍ୟବସ୍ଥା ବିଗିଡ଼ିଗଲା।ପରେ ବିଭାଗୀୟ ବସଷ୍ଟାଣ୍ଡ ଅଧିକାରୀ ଓ କର୍ମଚାରୀ ମାନଙ୍କ ଅଣଦେଖା, ଉଦାସୀନତା ଯୋଗୁ ଶୌଚାଳୟର ପରିଷ୍କାର ପରିଛନତା ମଧ୍ୟ ରହିଲାନାହିଁ। ଅନ୍ୟପଟେ ଯାତ୍ରୀମାନେ ମଧ୍ୟ ଶୌଚାଳୟର ସଠିକ୍ ବ୍ୟବହାର ତାହାର ସ୍ବଚ୍ଛତା ଉପରେ ଆଦୌ ଗୁରୁତ୍ବ ଦେଲେନାହି।ଫଳରେ ଏହାର ରକ୍ଷଣ ବେକ୍ଷଣ ଅଭାବ ଯୋଗୁ ବସଷ୍ଟାଣ୍ଡରେ ଥିବା ଶୌଚାଳୟ ଗୁଡିକର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଛି,ଯାହାକି ଏହା ବ୍ୟବହାର ଯୋଗ୍ୟ ମଧ୍ୟ ହେଉନାହିଁ। ବର୍ତମାନ ବସରେ ଦୂର ଦୁରାନ୍ତରୁ ଆସୁଥୁବା ଯାତ୍ରୀ ମାନେ ଶୌଚାଳୟ ଅବସ୍ଥା ଠିକ ନଥିବା ଦେଖି ଯାତ୍ରୀମାନେ ବାଧ୍ୟ ହୋଇ ବାହାରକୁ ଶୌଚ ଯିବା ପାଇଁ ବସ କର୍ମଚାରୀ ମାନଙ୍କୁ ବସ ଅପେକ୍ଷା କରିବାକୁ ଅନୁରୋଧ କରୁଛନ୍ତି। ବେଳେ ବେଳେ ଯାତ୍ରୀମାନେ ଅଟୋ ଭଡା ଦେଇ ନିକଟସ୍ଥ ହୋଟେଲ,ଲଜ କିମ୍ବା ନାଳ ଓ ପୋଖରୀକୁ ଶୌଚ ପାଇଁ ଯାଉଥିବା ଜାଣିବାକୁ ମିଳୁଛି।ଯାତ୍ରୀ ମାନଙ୍କ ଏପରି ଦୟନୀୟ ଅବସ୍ଥା ଦେଖି ସେମାନଙ୍କ ଠାରୁ ଅଟୋ ଭଡା ନେବାକୁ ମଧ୍ୟ କଷ୍ଟ ଲାଗୁଛି ବୋଲି କିଛି ଅଟୋ ଚାଳକ ମାନେ ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ମୁନିଗୁଡା ଓଏସଆରଟିସି କର୍ମଚାରୀ ଦୀପକ ଦାସଙ୍କୁ ପଚାରି ବୁଝିବାରୁ ସେ ଏହି ଶୌଚାଳୟ ସମସ୍ୟା ବିଷୟରେ ଅବଗତ ରହିଥିବା ବେଳେ ଏହାର ସମାଧାନ ନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛନ୍ତି। ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ମୁନିଗୁଡାର ବସଷ୍ଟାଣ୍ଡରେ ବ୍ୟବସାୟ ନିମନ୍ତେ ୧୭ଟି ଦୋକାନ ଗୃହ ଅଛି ଯାହାକି ବ୍ୟବସାୟୀ ମାନଙ୍କୁ ଲିଜ ଆକାରରେ ଦିଆ ଯାଇଛି। ସେଥିରୁ ଭଡା ସୂତ୍ରରେ ଆସୁଥିବା ଟଙ୍କାକୁ ରକ୍ଷଣ ବେକ୍ଷଣ ଆକାରରେ ବ୍ୟବହାର କରାଯାଇ ପାରିବ କିନ୍ତୁ ଏହା ହୋଇପାରୁନାହିଁ। ଏହି ଟଙ୍କା କେଉଁ ବାବଦରେ ଖର୍ଚ୍ଚ କରାଯାଉଛି ତାହା ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟପଟେ ଏହି ଟଙ୍କାରେ ବସଷ୍ଟାଣ୍ଡର ଶୌଚାଳୟର ରକ୍ଷଣ ବେକ୍ଷଣ କରାଯାଇ ପାରିବ ଯାହାକି କିଛି ମାତ୍ରାରେ ବସ ଷ୍ଟାଣ୍ଡର ସମସ୍ୟା ଦୂର ହୋଇପାରିବ ବୋଲି ଆଲୋଚନା ହେଉଛି। ବସଷ୍ଟାଣ୍ଡର ଏହି ଶୌଚାଳୟ ସମସ୍ୟାକୁ ନେଇ ମୁନିଗୁଡାରେ ଜନସାଧାରଣ ମାନେ ସାଧାରଣରେ ଅସନ୍ତୋଷ ପ୍ରକାଶ କରିବା ସହ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇ ସମସ୍ୟାର ଶୀଘ୍ର ସମାଧାନ କରିବାକୁ ଦାବି କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ