ଦିବ୍ୟାଙ୍ଗ ଓ ତୃତୀୟ ଲିଙ୍ଗୀଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ନୂଆପଡ଼ା,(ଲିଲାମ୍ବର ନାଗ): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସମୀକ୍ଷାରୁ ପ୍ରକାଶ ଯେ, ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ୭୪୭ଟି ପ୍ରବାସୀ ପରିବାରକୁ ପରିଦର୍ଶନ କରାଯାଇଥିବା ବେଳେ ୧୩୧ଟି ପରିବାର ବିଭିନ୍ନ ସରକାରୀ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେଥିମଧ୍ୟରୁ ୩୪ଟି ପରିବାରକୁ ବିଭିନ୍ନ ଯୋଜନାର ସୁବିଧା ପ୍ରଦାନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ପରିବାର ସହାୟତା ଯୋଜନା ଅଧୀନରେ ୨୦୧ ଜଣ ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ଲେଖାଏ ସହାୟତା ଅନୁମୋଦନ କରାଯାଇଥିବା ବେଳେ ବର୍ତ୍ତମାନ ୩୧ଟି ଆବେଦନ ବିଚାରାଧୀନ ରହିଛି।‘ସ୍ୱୀକୃତି’ ଯୋଜନା ଅଧୀନରେ ଜିଲ୍ଲାରେ ୧୦୪ ଜଣ ତୃତୀୟ ଲିଙ୍ଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୩୫ ଜଣଙ୍କୁ ପେନ୍ସନ ପ୍ରଦାନ କରାଯାଉଛି। ବିଧବା ସହାୟତା ଅଭିଯାନ ଅନ୍ତର୍ଗତ ୧୮,୮୬୯ ଜଣ ବିଧବାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୮,୫୮୩ ଜଣ ବିଧବା ପେନ୍ସନ ପାଉଛନ୍ତି। ସେହିପରି ଦିବ୍ୟାଙ୍ଗ ସହାୟତା ଅଭିଯାନ ଅଧୀନରେ ଜିଲ୍ଲାରେ ୮,୯୪୮ ଜଣ ଦିବ୍ୟାଙ୍ଗ ପେନ୍ସନଭୋଗୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୭,୧୧୭ ଜଣଙ୍କ ପାଖରେ ରାସନ କାର୍ଡ ରହିଛି।ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ ତୃତୀୟ ଲିଙ୍ଗୀ ଓ ଦିବ୍ୟାଙ୍ଗମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ କୌଶଳ ବିକାଶ ପ୍ରଶିକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦେବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର କୌଣସି ଦିବ୍ୟାଙ୍ଗ ବ୍ୟକ୍ତି ଯେପରି ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ନ ରୁହନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ରଖିବାକୁ ସେ କହିଥିଲେ। ଅନ୍ୟପକ୍ଷରେ, ମୃତ ହିତାଧିକାରୀଙ୍କ ନାମରେ ପେନ୍ସନ ଜାରି ରହିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଥିଲେ।ଏହି ଅବସରରେ ଖରିଆର ରୋଡ଼ ଅଞ୍ଚଳର ସ୍ଵପ୍ନା ବର୍ମନଙ୍କୁ ‘ଦିବ୍ୟାଙ୍ଗ ମିତ୍ର ପୁରସ୍କାର’ ପ୍ରଦାନ କରାଯାଇଥିଲା। ବୈଠକରେ ଉପଜିଲ୍ଲାପାଳ ସୁର୍ମୀ ସୋରେନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦ୍ୱାରିକାନାଥ ଶତପଥୀ, ଏଲଡିଏମ ହରିଶଙ୍କର ନିଆଲ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିରେଖା ନନ୍ଦଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।


