ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରି ଦୁଇ ସମ୍ବାଦିକ ଗିରଫ
କୋଦଳା ( ୱାଇଏନ୍ଏସ୍): ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦୁଇ ସମ୍ବାଦିକଙ୍କୁ କୋର୍ଟ ଚାଲାଣ କରାଯାଇଛି । କୋଦଳା କଲ୍ୟାଣମଣ୍ଡପ ସଙ୍ଗରୋଧ କେନ୍ଦ୍ରକୁ ଗତକାଲି ଅପରାହ୍ନରେ ପ୍ରବାସୀ ଓଡିଆଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ତଦାରଖ କରିବାକୁ ଡ଼ୁଡ଼ା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ମଣ୍ଡଳ ଆସିଥିଲେ । ଭଲ ଖାଦ୍ୟ ସହିତ ସୁବିଧା ମିଳୁଛି ବୋଲି ଅନ୍ତେବାସୀ କହିଥିଲେ । ପରେ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଉକ୍ତ କେନ୍ଦ୍ରର କରୋନା ଯୋଦ୍ଧାଙ୍କ ସହିତ ଆଲୋଚନା କରି ଫେରୁଥିବା ବେଳେ ଗେଟ୍ ବାହାରେ ଗାଡ଼ିରେ ଚଢ଼ିବା ସମୟରେ ଦୁଇ ସାମ୍ବାଦିକ ବୁମ୍ ଦେଖାଇ ମତାମତ ଲୋଡ଼ିଥିଲେ । ହେଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ସେ କହିବାକୁ ମନା କରିଦେଇଥିଲେ । କିନ୍ତୁ ଦୁଇ ସାମ୍ବାଦିକ ସେଥିରୁ କ୍ଷାନ୍ତ ହୋଇନଥିଲେ ବାରମ୍ବାର ଉତ୍କ୍ଷିପ୍ତ କରାଇଥିଲେ । ପୂର୍ବରୁ ଉକ୍ତ ଦୁଇ ସାମ୍ବାଦିକ ବହୁବାର କାର୍ଯ୍ୟାଳୟକୁ ଆସି ସମସ୍ତ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ବୋଲି ନିର୍ବାହୀ ଯନ୍ତ୍ରୀ ଅଧିକାରୀ ପିଡ଼ିଙ୍କୁ କହିଥିଲେ । ଏଥିରେ ଅଭିଯୁକ୍ତ ଉତ୍କ୍ଷିପ୍ତ ହୋଇ ଦୁର୍ବର୍୍ୟବହାର କରିଥିଲେ । ଏହି ସମୟରେ ଆଡ଼ିସନାଲ୍ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ଗୃହରକ୍ଷୀ ରଜନୀ ସେଠୀ ମଧ୍ୟ ଉପସ୍ଥିତ ଥିଲେ । ଘଟଣା ପରେ ନିର୍ବାହୀ ଅଧିକାରୀ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ କୋଦଳା ଥାନାରେ ପହଂଚି ଥାନା ଅଧିକାରୀଙ୍କୁ ଅଭିଯୋଗ କରିବା ସହ ଧାରଣାରେ ବସିଥିଲେ । ପରେ ତହସିଲଦରେ ପ୍ରଭାତ କୁମାର ପରିଡ଼ା ଓ ଥାନାଧିକାରୀ ଦେବାଶିଷ ମହାନ୍ତି, ନିର୍ବାହୀ ଅଧିକାରୀଙ୍କୁ ବୁଝାସୁଝା କରିବା ସହିତ କାର୍ଯ୍ୟରେ ଯୋଗ ଦେବାକୁ କହିଥିଲେ । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ସମସ୍ତ କାର୍ମକର୍ତା କାର୍ଯ୍ୟରେ ଯୋଗଦେଇଥିଲେ । ସବ୍ ଇନ୍ସପେକ୍ଟର ଅନୀଲ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ପରେ ଉକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଥାନା କେଶ ନଂ. ୧୩୨/୨୦ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।


