ସୁରତ ଫେରନ୍ତାଙ୍କ ଦେହରେ ଭୂତାଣୁ ନେଇ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ
ଭୁବନେଶ୍ୱର: ସୁରତରୁ ରାଜ୍ୟକୁ ଫେରୁଥିବା ଅଧିକାଂଶ ସଂକ୍ରମିତଙ୍କ ମଧ୍ୟରେ କରୋନା ଲକ୍ଷଣ ଦେଖାଦେବା ଘଟଣା ସ୍ୱାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି । ଏଲ-ଷ୍ଟ୍ରେନ ଭୂତାଣୁ ପାଇଁ ଉହାନରେ ମାତ୍ରାଧିକ ସଂକ୍ରମଣ ଓ ମୃତ୍ୟୁ ହୋଇଥିଲା । ତେବେ ସୁରତ ଫେରନ୍ତାଙ୍କ ଶରୀରରେ କେଉଁ ଭୂତାଣୁ ରହିଛି ତାହା ଉପରେ ପରୀକ୍ଷା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟରେ ୪ଟି ପର୍ଯ୍ୟାୟରେ ସଂକ୍ରମଣ ହୋଇଛି । ପ୍ରଥମଟି ବିଦେଶ ଫେରନ୍ତାଙ୍କ ଯୋଗୁଁ ହୋଇଥିବା ବେଳେ ଦ୍ୱିତୀୟଟି ନିଜାମୁଦ୍ଧିନ ଓ ତୃତୀୟରେ କୋଲକତା ଫେରନ୍ତା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଥିଲେ । ମାତ୍ର ଚତୁର୍ଥ ପର୍ଯ୍ୟାୟରେ ସୁରତ ଫେରନ୍ତା ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି । ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ମଧ୍ୟରୁ ୨ ଶହ ସୁରତ ଫେରନ୍ତା । ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀରରେ କରୋନା ଲକ୍ଷଣ ରହିଛି । ନିକଟରେ ଗୁଜରାଟ ବାୟୋଟେକନୋଲୋଜି ଗବେଷଣା କେନ୍ଦ୍ର (ଜିବିଆରସି) ପକ୍ଷରୁ ହୋଇଥିବା ଗବେଷଣାରେ ସେଠାରେ ଉହାନରେ ପ୍ରାଧାନ୍ୟ ବିସ୍ତାର କରିଥିବା ଏଲ-ଷ୍ଟ୍ରେନ ଭୂତାଣୁ ରହିଥିବା ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର (ବୈଷୟିକ) ମୁଖପାତ୍ର ଡ.ଜୟନ୍ତ ପଣ୍ଡା କହିଛନ୍ତି, ସୁରତ ଓ ଅହମ୍ମଦାବାଦରୁ ଫେରୁଥିବା ଲୋକମାନଙ୍କ ଶରୀରରେ ଗୁଜୁରାଟର ଷ୍ଟ୍ରେନ ରହିଛି । ତେବେ ରାଜ୍ୟରେ ସଂଖ୍ୟା ବୃଦ୍ଧି ପାଇବା ପରୋକ୍ଷ ଭାବେ ରାଜ୍ୟ ପାଇଁ ଭଲ । ଏହାକୁ ୩ଟି ଦୃଷ୍ଟିରେ ଦେଖାଯାଇପାରେ । ରାଜ୍ୟରେ ସଂକ୍ରମିତ ହେଉଥିବା ଅଧିକାଂଶ ଲୋକ ବଞ୍ଚୁଛନ୍ତି ଓ ମୃତ୍ୟୁ ସଂଖ୍ୟା କମ୍ ରହିଛି । ରାଜ୍ୟରେ ଏବେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି ପାଇଛି ।


