ଗଞ୍ଜାମ ଗ୍ରସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିୟାନ:ହିଞ୍ଜିଳିକାଟୁରେ କୋଭିଡ଼-୧୯ ହସପିଟାଲ ବୁଲି ଦେଖିବା ସହ ସମୀକ୍ଷା କଲେ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଶୁକ୍ରବାର ଦିନିକିଆ ଗଞ୍ଜାମ ଗ୍ରସ୍ତରେ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ଆସିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତ କରି ସ୍ଥାନୀୟ ପୌରାଂଚଳ ନିୟନ୍ତ୍ରିତ ବଜାର ପରିସରରେ ଅନୁଷ୍ଠିତ କୋଭିଡ଼-୧୯ ହସପିଟାଲ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି ।
ସାରା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିଥିବା ବେଳେ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ଲାଗି ଉଦ୍ୟମ ଜାରୀ ରହିଛି । ଏକଦା ଗ୍ରୀନ୍ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ବାହାର ରାଜ୍ୟ ଯଥା ସୁରଥ, ମୁମ୍ବାଇ, ଆନ୍ଧ୍ରପ୍ରଦେଶ, କେରଳ, ବେଙ୍ଗାଲୁର ପ୍ରଭୃତି କରୋନା ସଂକ୍ରମିତ ଅଂଚଳରୁ ପ୍ରବାସୀ ମାନେ ନିଜ ନିଜ ଭିଟାମାଟିକୁ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଶହରୁ ଅଧିକ ରହିଛି । ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀ ଠାରେ ଏକମାତ୍ର କୋଭିଡ଼-୧୯ ହସପିଟାଲ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ୪ଟି ସହରରେ କୋଭିଡ଼-୧୯ ହସପିଟାଲ କାର୍ଯ୍ୟକ୍ଷମ କରିବା ସକାଶେ ପ୍ରସ୍ତୁତି ଆରମ୍ଭ କରାଯାଇଥିଲା । ବ୍ରହ୍ମପୁର ପାରଳା ମହାରାଜା ଇଂଜିନେୟରିଂ କଲେଜ ହଷ୍ଟେଳରେ ୨ଶହ ଶର୍ଯ୍ୟା, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୭୦ ଶର୍ଯ୍ୟା, ଭଞ୍ଜନଗର ସେକେଣ୍ଡାରୀ ଟ୍ରେନିଂ ଛାତ୍ରୀବାସରେ ଶହେ ଶର୍ଯ୍ୟା ସମେତ ସ୍ଥାନୀୟ ପୌରାଂଚଳ ଆରଏମସି ପରିସରରେ ୩୩ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରିବା ପୂର୍ବରୁ ବର୍ତମାନ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼-୧୯ ହସପିଟାଲ ଭାବେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ସ୍ଥାନୀୟ କୋଭିଡ଼-୧୯ ହସପିଟାଲର ସମୀକ୍ଷା ପାଇଁ ପୂର୍ବରୁ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ବୃଦ୍ଦ ସମୀକ୍ଷା କରି ଫେରିଥିବା ବେଳେ ଶୁକ୍ରବାର ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ସଂପୃକ୍ତ ହସପିଟାଲ ବୁଲି ଦେଖିବା ସହ ସମୀକ୍ଷା କରି ଫେରିଛନ୍ତି । ଶୁକ୍ରବାର ପୂବାହ୍ନରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଠାରେ ହେଲିକେପ୍ଟର ଯୋଗେ ପଂହଚି କୋଭିଡ଼-୧୯ ହସପିଟାଲ ବୁଲି ଦେଖିବା ପରେ ରାଜ୍ୟ ମୁଖିଆଙ୍କ ଗଡ଼ ହିଞ୍ଜିଳିରେ ପଂହଚିଥିଲେ । ହସପିଟାଲର ବିଭିନ୍ନ ପ୍ରକୋଷ୍ଠ ବୁଲି ଦେଖିବା ସହ ଡ଼ାକ୍ତର ମାନଙ୍କ ସହ ବିଭିନ୍ନ ବିଷୟ ନେଇ ଆଲୋଚନା କରିଥିଲେ । ସଂପୃକ୍ତ ହସପିଟାଲକୁ କିପରି ସରନିଟାଇଜ କରାଯାଉଚି ସେ ନେଇ ପଚାରି ବୁଝିଥିଲେ । ସଂପୃକ୍ତ ହସପିଟାଲର ନିର୍ମାଣ କାର୍ଯ୍ୟଶୈଳୀକୁ ନେଇ ପ୍ରଂଶସା କରିଥିଲେ । ସ୍ଥାନୀୟ ପୌରାଂଚଳ ଓ ବ୍ଳକର ବିଭିନ୍ନ ଜନ ପ୍ରତିନିଧି ମାନଙ୍କ ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ । ବିଶେଷ କରି କରୋନା ଆକ୍ରାନ୍ତଙ୍କୁ କିପରି ଚିକିତ୍ସା ସୁବିଧା ସୁଯୋଗ ଦିଆଯାଇପାରିବ ସେ ନେଇ ଆଲୋଚନା କରିଥିଲେ । ହିଞ୍ଜିଳିରେ କାର୍ଯ୍ୟକ୍ରମ ଶେଷ କରି ସ୍ଥାନୀୟ ପୂର୍ତ ବିଭାଗ ଡ଼ାକବଙ୍ଗଳା ଠାରେ ମଧ୍ୟାନ୍ନ ଭୋଜନ ଶେଷ କରି ଆସିକା ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି । ୫ଟି ସଚିବ ପାଣ୍ଡିୟାନଙ୍କ ଗ୍ରସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ପ୍ରତିଭା ପାତ୍ର, କୋଭିଡ଼-୧୯ ହସପିଟାଲର ନୋଡ଼ାଲ ମେଡ଼ିକାଲ ଅଫିସର ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ପୂର୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ନିଳମଣି ପଟ୍ଟନାୟକ, ପୂର୍ବତନ ଉପ ନଗରପାଳ ପବିତ୍ର ମୋହାନ ପାଣିଗ୍ରାହୀଙ୍କ ସମେତ ବହୁ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି, ହିଞ୍ଜିଳିକାଟୁ କୋଭିଡ଼-୧୯ ହସପିଟାଲରେ ୬ ଜଣ ଡ଼ାକ୍ତର, ୬ଜଣ ଷ୍ଟାପନର୍ସ, ୧୦ ଜଣ ଆଟେଣ୍ଡାଟ୍‌, ୫ଜଣ ସିକ୍ୟୁରିଟି ଗାର୍ଡ଼ଙ୍କ ସମେତ ଅନ୍ୟାନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରୁ କିଛି କରୋନା ଆକ୍ରାନ୍ତଙ୍କୁ ସଂପୃକ୍ତ ହସପିଟାଲରେ ଭର୍ତି କରାଯିବ ବୋଲି ଜଣାପଡ଼ିଛି । ଏଥି ସକାଶେ ଆମେ ପ୍ରସ୍ତୁତ ରହିଛୁ ବୋଲି ସଂପୃକ୍ତ ହସପିଟାଲର ନୋଡ଼ାଲ ମେଡ଼ିକାଲ ଅପିସର ଡ଼ାକ୍ତର ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ