ପୁଣି ଥରେ ପରୀକ୍ଷା ଦେବେ ନବମ, ଏକାଦଶ ଫେଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇର ନବମ ଓ ଏକାଦଶର ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଏକ ନୂଆ ସୁଯୋଗ ମିଳିଛି । ସେମାନେ ଅଫଲାଇନ କିମ୍ବା ଅନଲାଇନରେ ପୁଣି ଥରେ ପରୀକ୍ଷା ଦେଇପାରିବେ । ଏ ନେଇ ସ୍କୁଲ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ.ରମେଶ ପୋଖରିଆଲ ନିଶଙ୍କ ।
ଡ.ନିଶଙ୍କ ଟୁଇଟ କରି ଜଣାଇଛନ୍ତି ଯେ ବର୍ତ୍ତମାନ କୋଭିଡ-୧୯ ପାଇଁ ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ପରିସ୍ଥିତିକୁ ଲକ୍ଷ୍ୟ କରି ସିବିଏସଇର ନବମ ଓ ଏକାଦଶର ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଏକ ନୂଆ ସୁଯୋଗ ଦେବାକୁ ସେ କହିଛନ୍ତି । ସେହିପରି ପୁନଃ ପରୀକ୍ଷା ପାଇଁ ପର୍ଯ୍ୟାପ୍ତ ସମୟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷେ ସିବିଏସଇ ପରୀକ୍ଷା ନିୟନ୍ତକ ଡ.ସାନ୍ୟମ ଭରଦ୍ୱାଜ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ବର୍ତ୍ତମାନ ସାରା ଦେଶ କୋଭିଡ-୧୯ ପାଇଁ ଏକ ଆହ୍ୱାନ ଦେଇ ଗତି କରୁଛି । ତେଣୁ ଛାତ୍ରଛାତ୍ରୀମାନେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି । ସେମାନେ ମାନସିକ ଚାପରେ ରହୁଛନ୍ତି । ବହୁ ଅଭିଭାବକ ଦରମା ପାଉନଥିବାରୁ ଚିନ୍ତାରେ ରହିଛନ୍ତି । ଏଭଳି ଚିନ୍ତାଜନକ ସ୍ଥିତି ବେଳେ ଛାତ୍ରଛାତ୍ରୀମାନଙ୍କୁ ଆଉ ଥରେ ସୁଯୋଗ ଦେବା ଆବଶ୍ୟକ । ତେଣୁ ସିବିଏସଇକୁ ବହୁ ଅଭିଭାବକଙ୍କ ଅନୁରୋଧ ପରେ ଦଶମ ଓ ଏକାଦଶର ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଏକ ନୂଆ ସୁଯୋଗ ଦିଆଯାଉଛି । ସ୍କୁଲ ଗୁଡ଼ିକ ଅନଲାଇନ କିମ୍ବା ଅଫଲାଇନରେ ପରୀକ୍ଷା କରିପାରିବେ । ସମସ୍ତ ବିଷୟର ପରୀକ୍ଷା ହେବ । ତେବେ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଯଦି କୌଣସି ସୁଯୋଗ ଦିଆଯାଇଥିବ, ତଥାପି ଆଉ ଥରେ ପରୀକ୍ଷା କରିବାକୁ ପଡ଼ିବ ବୋଲି ଡ.ଭରଦ୍ୱାଜ କହିଛନ୍ତି । ଏହି ଏକକାଳୀନ ସୁଯୋଗ କେବଳ ଚଳିତ ବର୍ଷ ପାଇଁ ଲାଗୁ ହେବ । ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଅପ୍ରାତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଥିବାରୁ କେବଳ ଏହା ଲାଗୁ କରାଯିବ । ଭବିଷ୍ୟତରେ ଏହାକୁ ସମ୍ପ୍ରସାରିତ କରାଯିବନି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ