ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ ‘ଅମ୍ଫାନ’
ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫାନ’ କ୍ରମଶଃ ମହାବାତ୍ୟାର ରୂପ ନେଇସାରିଛି। ସମ୍ପ୍ରତି ‘ଅମ୍ଫାନ’ ସ୍ଥଳଭାଗ ଅଭିମୁଖେ ଗତି କରୁଛି। ଆସନ୍ତା ବୁଧବାର ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମବଙ୍ଗର ଦିଘା ଓ ବାଂଲାଦେଶର ହାତିଆ ମଧ୍ୟବର୍ତ୍ତୀ ସୁନ୍ଦରବନଠାରେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏହା ପାରାଦୀପଠାରୁ ୬୦୦ କି.ମି ଦୂରରେ ରହିଥିବା ବେଳେ ଏହାର ପ୍ରଭାବରେ ଘଣ୍ଟା ପ୍ରତି ୧୭୫ କି.ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ‘ଅମ୍ଫାନ’ ୧୯୯୯ ମହାବାତ୍ୟା ପରେ ଦ୍ୱିତୀୟ ମହାବାତ୍ୟା। ଏହାର ପ୍ରଭାବରେ ମଙ୍ଗଳବାର ପବନର ବେଗ ବଢ଼ିବ। ପବନର ବେଗ ଘଣ୍ଟା ପ୍ରତି ୭୫ କି.ମିରୁ ଅଧିକ ରହିବ। ସେହିପରି ୨୦ ତାରିଖରେ ପବନ ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କି.ମି ରହିବ। ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରେ ପାଖାପାଖି ୬ ମିଟର ଉଚ୍ଚର ଜୁଆର ଉଠିବ। ସେହିପରି ଏହି ମହାବାତ୍ୟା ବାଂଲାଦେଶରେ ସର୍ବାଧିକ କ୍ଷତି କରିବ। ପଶ୍ଚିମବଙ୍ଗର ସାଉଥ୍ ୨୪ ପ୍ରଗଣା ଅନ୍ତର୍ଗତ ସୁନ୍ଦରବନର ବାଘ ସଫାରୀକୁ ମଧ୍ୟ କ୍ଷତିଗ୍ରସ୍ତ କରିବ। ଆସନ୍ତା ୨୪ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏହି ମହାବାତ୍ୟା ପ୍ରଭାବରେ ଓଡ଼ିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଅନ୍ୟପକ୍ଷରେ ମହାବାତ୍ୟା ପରିପ୍ରେକ୍ଷୀରେ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜରୁରୀ ବୈଠକ କରିଛନ୍ତି। ରାଜ୍ୟ ସୁନ୍ଦରବନ ବ୍ୟାପାର ମନ୍ତ୍ରୀ ମନ୍ତୁରାମ ପାଖିରା କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ସକାଶେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ ପ୍ରସ୍ତୁତ ରହିଥିବା କହିଛନ୍ତି। ଏହାଛଡ଼ା ପାଖାପାଖି ୩ ଶହ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ପାଖାପାଖି ୧ ଲକ୍ଷ ଲୋକଙ୍କୁ ଉକ୍ତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ ବୋଲି ପାଖିରା କହିଛନ୍ତି।


