ଲକଡାଉନ ଯୋଗୁଁ ନିଶାଦ୍ରବ୍ୟ ନପାଇ ହୋମିଓପ୍ୟାଥି ଔଷଧ ଖାଇ ୧ମୃତ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : କୋଭିଡ -୧୯ ଲକଡାଉନ ଯୋଗୁଁ ଜନୈକ ନିଶାଗ୍ରସ୍ତ ବ୍ୟକ୍ତି ନିଶାଦ୍ରବ୍ୟ ନପାଇ ହୋମିଓପ୍ୟାଥି ଔଷଧ ଖାଇ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି । ଅଭିଯୋଗରୁ ପ୍ରକାଶ ଯେ ଡେରାବିଶି ଥାନା ଅନ୍ତର୍ଗତ ପଂଚୁପାଣ୍ଡବ ପଂଚାୟତର ଶ୍ୟାମସୁନ୍ଦରପୁର ଗ୍ରାମର ସୂର୍ଗତ ବଂଶୀଧର ମଳିକଙ୍କ ପୁଅ ମଙ୍ଗୁଳି ଚରଣ ମଳିକ(୫୨) ନିଶାଗ୍ରସ୍ତ ହୋଇ ପୂର୍ବରୁ ନିଶା ଖାଇ ଆସୁଥିଲେ । କିନ୍ତୁ କୋଭିଡ -୧୯ ଲକଡାଉନ ଯୋଗୁଁ ନିଶା ଦୋକାନ ଗୁଡିକ ବନ୍ଦ ହୋଇଯାଇଥିବାରୁ ମଙ୍ଗୁଳି ନିଶା ନପାଇ ଶେଷରେ ବାଧ୍ୟହୋଇ ନିଳକଣ୍ଠପୁର ଗ୍ରାମର ନୃସିଂହ ମଳିକ ଓରଫ ବାପି ପାଖରୁ ସିମିସିଫୁଗାରାସେମୋସା-୨୦୦ ପାୱାରର ୧୦୦ଏମଏଲ ଏକ ବୋତଲ ଓ କ୍ରିଓସୋଟମ କ୍ୱିଉ ୧୦୦ଏମଏଲର ଏକ ବୋତଲ ହୋମିଓପ୍ୟାଥି ଔଷଧ ସୋମବାର ଅପରାହ୍ନ ପ୍ରାୟ ସାଢେବାରଟା ସମୟରେ କିଣିଆଣି ପିଇଦେଇଥିଲେ । ନୃସିଂହ ଚୋରାରେ ବିକ୍ରୀ କରିଥିବା ଏହି ହୋମିଓପ୍ୟାଥି ଔଷଧ ୨ଟିରୁ ଗୋଟିଏରେ ଏକ୍ସପ୍ୟାରି ଡେଟ ମାର୍ଚ୍ଚ ୨୦୧୯ ଲେଖାଯାଇଥିବା ବେଳେ ଅନ୍ୟଟିରେ କୈାଣସି ଏକ୍ସପ୍ୟାରି ଡେଟ ଲେଖାଯାଇନଥିବା ଦେଖାଯାଇଛି । ପ୍ରାୟ ଗୋଟାଏ ବେଳକୁ ମଙ୍ଗୁଳି ଅସୁସ୍ଥ ହୋଇପଡିବାରୁ ତାକୁ ପରିବାର ପକ୍ଷରୁ ପ୍ରଥମେ ଛତା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ସେଠାରୁ ରେଫର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଙ୍ଗୁଳିଙ୍କ ପୁଅ ଅଭୟ କୁମାର ମଳିକ ତାଙ୍କ ବାପା ମଙ୍ଗୁଳିଙ୍କୁ ଏକ୍ସପ୍ୟାରି ହୋଇଯାଇଥିବା ହୋମିଓପ୍ୟାଥି ଔଷଧ ନୃସିଂହ ମଳିକ ଖାଇବାକୁ ଦେବାରୁ ସେହି ଔଷଧ ଖାଇ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଯାଇଥିବା ଡେରାବିଶି ଥାନାରେ ଅଭିଯୋଗ କରିଛନ୍ତି । ଡେରାବିଶି ଥାନା ପକ୍ଷରୁ ଏହି ଅଭିଯୋଗର ତଦନ୍ତ ଆରମ୍ଭ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।


