ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ ତିରିଂ ସିପିଆଇ ତରଫରୁ ବିଡିଓଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର

ରାଇରଙ୍ଗପୁର (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ହଠାତ୍ ଲକ୍ ଡାଉନ୍ ଜାରି କରିଥିବାରୁ ଭାରତର ପ୍ରବାସୀ ଶ୍ରମିକ ଓ ସାଧାରଣ ଶ୍ରମିକ, ଅଣସଂଗଠିତ ଶ୍ରମିକ ଦୁଃଖ ଅପ୍ରମିତ ହୋଇ ପଡ଼ିଛି ।ଜୀବନ ଯନ୍ତ୍ରଣା,ଭୋକ,ରୋଗ, ଅର୍ଥାଭାବ, ମାନସିକ ଅଶାନ୍ତି,କୋହ,ଘରକୁ ଫେରି ନ ପାରିବା,ଲହୁ ଲୁହାଣ ପାଦରେ ଶହ ଶହ କିମି ଚାଲିବା, ରୋଜଗାର ବନ୍ଦ, କାମଧନ୍ଦା ଠପ୍, ପରିବାରର ବୋଝକୁ ନେଇ ଅଶାନ୍ତ ବଳୟ ଭିତରେ ଘାଣ୍ଟି ହେଉଛି ଶ୍ରମିକ ଶ୍ରେଣୀ ।ଆହା କହିବାକୁ କେହି ନାହିଁ । ଏଭଳି ଦୁଃଖଦ ଶ୍ରମିକ ମାନଙ୍କର କରୁଣ ପରିସ୍ଥିତିକୁ ନେଇ ଭାରତର ଅଗ୍ରଣୀ ବାମପନ୍ଥୀ ସଂଗଠନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ),ତିରିଂ ଶାଖା ସର୍ବଭାରତୀୟ ସିପିଆଇ ପାର୍ଟି ନିର୍ଦ୍ଦେଶ କ୍ରମେ ତିରିଂ ବ୍ଲକ ସମ୍ମୁଖରେ ବିଶିଷ୍ଟ କମ୍ୟୁନିଷ୍ଟ ନେତା କମ୍ରେଡ ତ୍ରୀନାଥ ପାତ୍ରଙ୍କ ନେତୃତ୍ବରେ ମଙ୍ଗଳବାର ଦିନ କରୋନା ସତର୍କତା ସ୍ବରୂପ ସାମାଜିକ ଦୂରତା ବଜାୟ ରଖି ଏକ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା । ସେଥିରେ ପ୍ରବାସୀ ଶ୍ରମିକ ମାନଙ୍କୁ ତୁରନ୍ତ ବହୁ ବସ୍ ଓ ଟ୍ରେନ ବ୍ୟବସ୍ଥା କରାଯାଇ ନିଜ ଠିକଣା ସ୍ଥାନରେ ପହଞ୍ଚାଇବା, କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ କରୋନା ମୁକାବିଲା ପାଇଁ ଅଧିକ ଅର୍ଥ ପ୍ରଦାନ କରିବା, ଶ୍ରମିକ ମାନଙ୍କୁ ୩ ମାସ ଅଗ୍ରିମ ପେନସନ ପ୍ରଦାନ, ମୁଣ୍ଡ ପିଛା ମାସକୁ ୧୦ କିଲୋ ଚାଉଳ, ଶ୍ରମିକ ମାନଙ୍କ ପାଇଁ ପର‌୍ୟ୍ୟାପ୍ତ କର୍ମସଂସ୍ଥାନ ସୃଷ୍ଟି,ବିନା କାର୍ଡ ଧାରୀ, ଅକର୍ମଣ୍ୟ, ଅସହାୟ ଲୋକଙ୍କୁ ଖାଦ୍ୟ ସୁରକ୍ଷା, ଆଗାମୀ ଦିନରେ ଶ୍ରମିକ ମାନଙ୍କୁ ୮ଘଣ୍ଟାରୁ ୧୨ଘଣ୍ଟା ଶ୍ରମଦାନ ବୃଦ୍ଧି ଅର୍ଡିନାନ୍ସ ହଟାଇବା ଓ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ତିରିଂ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ଦଳୀୟ କର୍ମୀ ଧନୁ ମାରାଣ୍ଡି,ଖେଲାରାମ ହେମ୍ବ୍ରମ,ଶରତ ବିନ୍ଧାଣି,ପାରାଓ ମୁର୍ମୁ, ଦୁର୍ଗା ମାରାଣ୍ଡି, ଉତ୍କଳ ମହିଳା ସମିତି ନେତ୍ରୀ ରାୟମଣି ପାତ୍ର, ବିନ୍ଦୁ ବିନ୍ଧାଣି ପ୍ରମୁଖ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ