ଓଡିଶା ଅଗ୍ନିଶମ ବିଭାଗର ୩୦ଟି ଟିମ ଏବଂ ଓଡ୍ରାଫର ୧୦ଟି ୟୁନିଟର ପଶ୍ଚିମବଙ୍ଗ ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ମହାବାତ୍ୟା ଅମ୍ପନ ଯୋଗୁଁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି ଓଡିଶା । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଅଗ୍ନିଶମ ବିଭାଗର ୩୦ଟି ଟିମ ଏବଂ ଓଡ୍ରାଫ୍‌ର ୧୦ଟି ୟୁନିଟ ପଶ୍ଚିମବଙ୍ଗ ଯାତ୍ରା କରିଛନ୍ତି । ମୁଖ୍ୟ ଅଗ୍ନିଶମ ଅଧିକାରୀ ତଥା ଓ.ଏଫ.ଡି.ଆର.ଏ. ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସ୍ୱାଇଁ ଅଗ୍ନିଶମ ଟିମର ନେତୃତ୍ୱ ନେଉଥିବା ବେଳେ ଡେପୁଟୀ କମାଣ୍ଡଂଟ ଶ୍ରୀ କାହ୍ନୁଚରଣ ହାଁସଦା ଓଡ୍ରାଫ ୟୁନିଟର ନେତୃତ୍ୱ ନେଉଛନ୍ତି । ରାତି ପ୍ରାୟ ୧ଟା ବେଳେ ସ୍ଥାନୀୟ ଫକୀରମୋହନ ଗୋଲେଇରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିବା ସହିତ ଟିମ ସଦସ୍ୟମାନଙ୍କୁ ଶୁଭକାମନା ଜଣାଇଥିଲେ । ଅଗ୍ନିଶମ ବିଭାଗ ଟିମରେ ଫାୟାରମ୍ୟାନ, କର୍ମଚାରୀ ଓ ଅଧିକାରୀମାନଙ୍କୁ ମିଶାଇ ପ୍ରାୟ ୩୫୦ଜଣ ସଦସ୍ୟ ରହିଥିବା ବେଳେ ଓଡ୍ରାଫ ଟିମରେ ପ୍ରାୟ ୨୫୦ଜଣ ସଦସ୍ୟ ରହିଛନ୍ତି । ପେଟ୍ରୋଲ ଚାଳିତ ଯାନ୍ତ୍ରିକ ସରଞ୍ଜାମ, ଆସ୍କା ଲାଇଟ, ଜେନେରେଟର, ଗଛ ଓ ଇଲେକ୍ଟ୍ରିପୋଲ କଟିଂ ମେସିନ, ସର୍ଚ୍ଚ ଲାଇଟ ସମେତ ଅନ୍ୟାନ୍ୟ ଅତ୍ୟାଧୁନିକ ଉପକରଣକୁ ସାଙ୍ଗରେ ନେଇ ଏହି ଟିମ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହେବେ । ମୁଖ୍ୟତଃ ରାସ୍ତା ସଫା ଏବଂ ପୁନରୁଦ୍ଧାର କାର୍ଯ୍ୟରେ ଏହି ଟିମ ନିୟୋଜିତ ହେବେ ବୋଲି ଜଣାପଡିଛି । ବିଗତ ଦିନରେ ଓଡିଶାରେ ହୋଇଥିବା ବାତ୍ୟା ପରବର୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଭିଜ୍ଞତାକୁ ପାଥେୟ କରି ଏହି ଟିମ ସଦସ୍ୟମାନେ ସଫଳତାର ସହ ସେମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରମାଣିତ କରିବେ ବୋଲି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଆଶାପୋଷଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ