ନୀରବଙ୍କ ପ୍ରତ୍ୟାର୍ପଣ ଅନୁରୋଧକୁ ଗ୍ରହଣ କଲା ବ୍ରିଟେନ୍

ନୂଆଦିଲ୍ଲୀ(ଏଜେନ୍ସି): ଭାରତୀୟ ବ୍ୟାଙ୍କ୍ (ପିଏନ୍ବି)ରୁ ୧୩,୪ଠଠ କୋଟି ଟଙ୍କା ଲୁଟିନେଇ ପଳାତକ ସାଜିଥିବା ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ବ୍ରିଟେନ୍ ସରକାର ଗ୍ରହଣ କରିଛନ୍ତି । ଫଳରେ ଆଗାମୀ ଦିନରେ ନୀରବ ମୋଦିକୁ ଭାରତ ଅଣାଯିବା ନେଇ ଏକ ଆଶା ସଂଚାର ହୋଇଛି । ଲଣ୍ଡନର ଗୃହ ସଚିବ ସଜିଦ ଜାଭିଦ୍ ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଭାରତ ସରକାରଙ୍କ ଅନୁରୋଧ ନ୍ୟାୟସଙ୍ଗତ ହୋଇଥିବା ହୃଦୟଙ୍ଗମ କରିବା ସହ ଅଭିଯୁକ୍ତ ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ । ଭାରତ-ଇଂଲଣ୍ଡ ଚୁକ୍ତି ଅନୁସାରେ ନୀରବଙ୍କ ପ୍ରତ୍ୟାର୍ପଣ ପ୍ରକ୍ରିୟା ପାଇଁ ଲଣ୍ଡନର ୱେଷ୍ଟମିନଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ କାଗଜପତ୍ର କାମ ଆରମ୍ଭ ହୋଇଥିବା ସେ କହିଛନ୍ତି । ଯଦି କୋର୍ଟ ପ୍ରତ୍ୟର୍ପଣ ନିର୍ଦ୍ଦେଶ ଦିଅନ୍ତି ତେବେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।ନିଜ ମାମୁଁ ମେହୁଲ ଚୋକ୍ସୀ ସହ ମିଶି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩,୪ଠଠକୋଟି ଟଙ୍କାର ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦି ଲଣ୍ଡନରେ ବେଶବଦଳାଇ ରହୁଥିବା ଜଣାପଡିବା ପରେ ଭାରତ ସରକାର ବ୍ରିଟେନ୍ ସରକାରଙ୍କ ସହ ଏସମ୍ପର୍କରେ ଆଲୋଚନା କରିଥିଲେ । ଲଣ୍ଡନର ଏକ ବିଳାସପୂର୍ଣ୍ଣ ଅଟ୍ଟାଳିକାକୁ ମାସିକ ୧୩ଲକ୍ଷ ଟଙ୍କା ଭଡାସୂତ୍ରରେ ନେଇ ନୀରବ ମୋଦି ରହୁଥିବା ଏବଂ ସେଠାରେ ମଧ୍ୟ ସେ ହୀରା ବ୍ୟବସାୟ ଆରମ୍ଭ କରିଦେଇଥିବା ନୀରବ ଇତି ମଧ୍ୟରେ ଇଡି (ଭାରତୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) କର୍ତ୍ତୃପକ୍ଷ ଅବଗତ ହୋଇସାରିଛନ୍ତି । ଆଜିର ନୂଆ ଭିଡିଓ ଫୁଟେଜ୍ରେ ନୀରବ ଏକ ୯ଲକ୍ଷ ଟଙ୍କା ମୂଲ୍ୟର ଜ୍ୟାକେଟ୍ ପିନ୍ଧିଥିବା ଏବଂ ନିଶ ଦାଢ଼ି ବଢ଼ାଇଥିବା ଦେଖିବାକୁ ମିଳିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ରୁ କୋଟି କୋଟି ଟଙ୍କା ଋଣ ନେଇ ଫେରସ୍ତ କରିନଥିବା ଜଣାପଡିବା ପରେ ଉଭୟ ନୀରବ ଓ ମାମୁଁ ମେହୁଲ୍ ଚୋକ୍ସୀ ଭାରତ ଛାଡି ଫେରାର ହୋଇଯାଇଥିଲେ ।
ଆଜି ତେଲେଙ୍ଗାନାରେ ଆୟୋଜିତ ଏକ ପ୍ରଚାର କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନୀରବ ମୋଦି ସମ୍ପର୍କରେ ମତ ଦେଇ କହିଥିଲେ ଯେ, ଯଦି ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ଦଳ ସରକାର ଗଠନ କରେ ତେବେ ନୀରବ ମୋଦିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବ ଏବଂ ସବୁତକ ଟଙ୍କା ଗରିବଙ୍କ ମଧ୍ୟରେ ବାଣ୍ଟିଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ