ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ସରକାର
ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଶା ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି । ଏହାଛଡ଼ା କିଏ ସାକେଲରେ ତ କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି । କିନ୍ତୁ ଓଡ଼ିଶା ଫେରୁଥିବା ପ୍ରବାସୀମାନେ କ’ଣ କରି ଜୀବିକା ନିର୍ବାହ କରିବେ ତାକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ସମ୍ପୃକ୍ତ ପ୍ରବାସୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୀବିକା ଯୋଗାଇ ଦିଆଯିବ । ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ସାମ୍ମାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ୧୭ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇଦେବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇ ଦେବା ନେଇ ଯୋଜନା କରାଯାଇଛି । ଗ୍ରାମାଞ୍ଚଳରେ କୃଷି ପାଇଁ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ୨୪ ଲକ୍ଷ ୫୬ ହଜାର ଚାଷୀ ଉପକୃତ ହେବେ । ଏହାଛଡ଼ା ୪ ହଜାର ପାନଚାଷୀଙ୍କ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ । ୧୦ ହଜାର ଚାଷୀ ଓ ୫ ହଜାର ଏସଏଚଜିକୁ ଛତୁ ଚାଷ ପାଇଁ ସହାୟତା ମିଳିବ । ମତ୍ସ୍ୟଚାଷରେ ୧୧୧.୪୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।


