ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୩ତମ କିସ୍ତି ବିତରଣ
କଟକ,(ଓ୍ବାଇଏନଏସ): ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୩ତମ କିସ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଯୋଗ୍ୟ କୃଷକ ପରିବାରମାନଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସିଧାସଳଖ ପ୍ରେରଣ କରାଯାଇଛି। କଟକ ଜିଲ୍ଲାର ୧,୫୮,୪୦୦ ଜଣ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ମୋଟ ୩୧ କୋଟି ୬୮ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେହିପରି ରାଜ୍ୟର ୩୪.୬ ଲକ୍ଷରୁ ଅଧିକ କୃଷକ ପରିବାରଙ୍କୁ ୬୯୩ କୋଟି ଟଙ୍କାର ଆର୍ଥିକ ସହାୟତା ମିଳିଛି। ଏହା କୃଷକମାନଙ୍କୁ କୃଷି କାର୍ଯ୍ୟରେ ସହାୟକ ହେବ। ଶନିବାର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ବର ଠାରେ ଆୟୋଜିତ ଜାତୀୟସ୍ତରର ପିଏମ କିଷାନ ଉତ୍ସବ ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ପରିବାରମାନଙ୍କୁ ପିଏମ୍-କିଷାନର ଏହି କିସ୍ତି ଅର୍ଥ ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଦେଶର କୃଷକମାନଙ୍କୁ ଉଦ୍ବୋଧନ କରିବା ସହ ପ୍ରାକୃତିକ ପ୍ରଣାଳୀରେ ଚାଷ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଚାଷୀ ତାଲିମ ଓ ଦକ୍ଷତା ବିକାଶ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ପିଏମ କିଷାନ ଉତ୍ସବ ସମାରୋହରେ ପଶ୍ଚିମବଙ୍ଗର ତାରକେଶ୍ବରରୁ ସିଧା ପ୍ରସାରଣ ଏଲଏଇଡି ପରଦା ମାଧ୍ୟମରେ ପ୍ରସାରିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣି ଜିଲ୍ଲାର କୃଷକ ଭାଇଭଉଣୀମାନେ ଖୁସି ଜାହିର କରିଥିଲେ। ସୂଚନା ଯୋଗ୍ୟ ଯେ, ପିଏମ୍-କିଷାନ ଯୋଜନାରେ କେନ୍ଦ୍ର ସରକାର ପ୍ରତି କୃଷକଙ୍କୁ ବାର୍ଷିକ ୬୦୦୦ ଟଙ୍କା ୩ଟି କିସ୍ତିରେ ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଏକ କୃଷକ କଲ୍ୟାଣକାରୀ ଯୋଜନା ଅଟେ। ଖରିଫ ଓ ରବି ଚାଷ ଋତୁ ଆରମ୍ଭ ପୂର୍ବରୁ ଚାଷୀ ଭାଇ ଓ ଭଉଣୀମାନଙ୍କୁ ବିହନ, ସାର ଓ ଔଷଧ କ୍ରୟ କରିବା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ୨୦୧୯ ମସିହା ୨ଫେବୃଆରୀରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କଟକ ର କୃଷି ବିଭାଗର ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ କମଳାକାନ୍ତ ପାଣିଗ୍ରାହୀ, ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଅସୀମା ମିଶ୍ର, ସହକାରୀ କୃଷି ଅଧିକାରିଣୀ ଶ୍ରୀମତୀ ଜ୍ୟୋତିର୍ମୟୀ ବେହେରା, ସହକାରୀ କୃଷି ଅଧିକାରୀ ଶ୍ରୀ ଜ୍ୟୋତି ଶେଖର ଦାସ କୃଷି ବିଜ୍ଞାନ କେନ୍ଦ୍ର ଓ ସଂଯୋଜିତ ବିଭାଗର ଅଧିକାରୀ ଯଥା ଶ୍ରୀ ରଞ୍ଜନ କୁମାର ମହନ୍ତ, ଶ୍ରୀ ଦିଲ୍ଲୀପ ଷଡ଼ଙ୍ଗୀ,ସମେତ କୃଷି ବିଭାଗର ଅଧିକାରୀ, ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷକ ଏବଂ ହିତାଧିକାରୀମାନେ ଉପସ୍ଥିତ ଥିଲେ। କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ବ୍ଲକଭିତ୍ତିକ ହିତାଧିକାରୀଙ୍କ ମଧ୍ୟରେ ମ।ହଙ୍ଗା ବ୍ଲକର ସର୍ବାଧିକ ୨୧,୦୬୪ କୃଷକ ପରିବାର ଏହି କିସ୍ତିର ସୁବିଧା ପାଇଥିବା ବେଳେ ଆଠଗଡ ରେ ୧୦,୮୫୨, ବଡ଼ମ୍ବା ରେ ୧୧,୯୮୨, ବାଙ୍କୀ ରେ ୮୫୯୧, ଡମପଡ଼ା ରେ ୫୪୦୭, ବାରଙ୍ଗ ରେ ୫୦୨୫, କଟକ ସଦର ରେ ୧୦,୭୮୮, କଣ୍ଟାପଡ଼ା ରେ ୮୫୪୧, ନରସିଂହପୁର ରେ ୧୩,୫୯୫, ନିଆଳି ରେ ୧୩,୦୦୭, ନିଶ୍ଚିନ୍ତକୋଇଲି ରେ ୧୮,୩୩୭, ସାଲେପୁର ରେ ୧୬,୧୭୯, ଟାଙ୍ଗୀ ଚୌଦ୍ୱାର ରେ ୯,୭୩୬, ତିଗିରିଆ ରେ ୫,୨୯୮ କୃଷକ ପରିବାରଙ୍କ ଖାତାକୁ ସହାୟତା ରାଶି ପହଞ୍ଚିଛି। ଜିଲ୍ଲାର ସମସ୍ତ ୧୪ଟି ବ୍ଲକର ଯୋଗ୍ୟ କୃଷକପରିବାରମାନେ ଏହି ଯୋଜନାର ସୁବିଧା ପାଇଛନ୍ତି। ଆସନ୍ତା ଖରିଫ ଋତୁରେ ଏହି ସହାୟତା ରାଶି କୃଷକମାନଙ୍କୁ ବିହନ, ସାର ଓ କୃଷି ଉପକରଣ କ୍ରୟରେ ସହାୟକ ହେବ। ସିଏମ୍-କିଷାନ ଯୋଜନାରେ ଥାଇ ମଧ୍ୟ ପିଏମ୍-କିଷାନରୁ ବଞ୍ଚିତ ଥିବା ଯୋଗ୍ୟ ଚାଷୀମାନଙ୍କୁ ସାମିଲ କରିବା ପାଇଁ ଜିଲ୍ଲାରେ ପିଏମ୍-କିଷାନ ସାଚୁରେସନ ଡ୍ରାଇଭ୍ ଚାଲିଛି। ସେହିପରି ଏହି ଯୋଜନାରେ ସାମିଲ ହେବା ପାଇଁ ଏଗ୍ରି-ଷ୍ଟାକ୍ କୃଷକ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ଏଗ୍ରି-ଷ୍ଟାକ୍ ହେଉଛି କୃଷକଙ୍କ ପାଇଁ ଏକ ସମନ୍ୱିତ ଡିଜିଟାଲ ବ୍ୟବସ୍ଥା, ଯାହା ମାଧ୍ୟମରେ କୃଷି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଓ ସେବାକୁ ଏକ ପ୍ଲାଟଫର୍ମରେ ଯୋଡ଼ାଯାଏ।


