ବିଇଓଙ୍କ କାର୍ଯ୍ୟାଳୟରେ ଅବ୍ୟବସ୍ଥା : ଦୁଇ ଦୁଇ ଥର ଡିଏ କାଟିନେବାକୁ ନେଇ ଅସନ୍ତୋଷ ଝାଡିଲେ ଶିକ୍ଷକ
ହାଟଡିହି (ଓ୍ବାଇଏନଏସ): ବିଇଓଙ୍କ କାର୍ଯ୍ୟାଳୟରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଜଣେ ଶିକ୍ଷକଙ୍କୁ ଥରେ ମହଙ୍ଗା ଭତ୍ତା ଦେବା ବଦଳରେ ଦୁଇ ଦୁଇଥର ଭତ୍ତା ଦେବା ଓ ଅଧିକ ଅର୍ଥକୁ ଥରେ କାଟିବା ଜାଗାରେ ଦୁଇ ଦୁଇ ଥର କାଟି ରଖିବାକୁ ନେଇ ଅସନ୍ତୋଷ ଝାଡିଛନ୍ତି ଶିକ୍ଷକ। ତେମଳା ସ୍କୁଲର ଶିକ୍ଷକ ପ୍ରଫୁଲ କୁମାର ଜେନାଙ୍କ ଅଭିଯୋଗ ଅନୁଯାଇ ସରକାର ପ୍ରତିବର୍ଷରେ ଦୁଇ ଥର ମହଙ୍ଗା ଭତ୍ତା ପ୍ରଦାନ କରିଥାନ୍ତି। ସେହି କ୍ରମରେ ସେ ଗତ ଅକ୍ଟୋବର ୨୦୨୫ରେ ମହଙ୍ଗା ଭତ୍ତା ବାବଦକୁ ୩୧୮୦ ଟଙ୍କା ପାଇଥିଲେ। କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଭୁଲ ଯୋଗୁଁ ପୁନର୍ବାର ଜାନୁୟାରୀ ୨୦୨୬ରେ ଆଉ ଥରେ ତାଙ୍କ ଏକାଉଣ୍ଟକୁ ୩୧୮୦ ଟଙ୍କା ଯାଇଥିଲା। ସେ ସଙ୍ଗେ ସଙ୍ଗେ ଆସି ଏହା ଜଣାଇବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଗତ ଏପ୍ରିଲ ଦରମାରୁ ୩୧୮୦ ଟଙ୍କା କାଟି ନେଇଥିଲେ। କିନ୍ତୁ ପୁନର୍ବାର ଗତ ମେ ମାସରେ ଆଉଥରେ ସମ୍ପୃକ୍ତ ଶିକ୍ଷକଙ୍କ ଦରମାରୁ ୩୧୮୦ ଟଙ୍କା କାଟି ନେଇଛନ୍ତି। ଯାହାକୁ ନେଇ ଶିକ୍ଷକ ପ୍ରଫୁଲ କୁମାର ଜେନା ଆଜି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି କର୍ମଚାରୀ ମାନଙ୍କ ଏପରି ଖାମ ଖିଆଲି ନୀତିକୁ ନେଇ ପ୍ରବଳ ପାଟିତୁଣ୍ଡ କରିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇଙ୍କୁ ପଚାରିବାରେ ଭୁଲ ବଶତଃ ଏପରି ହୋଇଛି, ଆସନ୍ତା ମାସ ଦରମାରେ ତାଙ୍କୁ କଟି ଯାଇଥିବା ଟଙ୍କାକୁ ଫେରସ୍ତ କରାଯିବ ବୋଲି କହିଛନ୍ତି।


