ପାଟନାଳି ସଂଲଗ୍ନ ପ୍ରାକୃତିକ ନାଳର ପୁନରୁଦ୍ଧାର ପାଇଁ ବିଧାୟକଙ୍କ ନିକଟରେ ଦାବି

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : ପାଟକୁରା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କେନ୍ଦ୍ରାପଡା ଜିଲ୍ଲାର ଠାକୁରପାଟଣା ଗୁଆଳସିଂ ମୈାଜାର ଅଧିବାସୀମାନେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ଭେଟି ଗୁଆଳସିଂ ମୈାଜାର ୨୦ନମ୍ବର ପାଟନାଳି ସଂଲଗ୍ନ ପ୍ରାକୃତିକ ନାଳଟିର ପୁନରୁଦ୍ଧାର କରାଯିବା ନିମନ୍ତେ ନିବେଦନ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଗୁଆଳସିଂ ମୈାଜାର ଆଇନ ମହାବିଦ୍ୟାଳୟ ନିକଟରେ ଏହା ମଧ୍ୟରେ ୨ଶହରୁ ଉଦ୍ଧ୍ୱର୍ ଗୃହ ନିର୍ମାଣ ସହିତ ପ୍ରାୟ ଏକ ହଜାରରୁ ଉଦ୍ଧ୍ୱର୍ ଲୋକ ବସବାସ କଲେଣି । ପୂର୍ବରୁ ଚାଷଜମି ଭାବେ ବ୍ୟବହୃତ ହେଉଥିବା ଏହି ଅଚଂଳର ଜମିକୁ ଘରଡିହ ଜମିରେ ବଦଳାଯାଇ ଜନବସତି ସ୍ଥାପନ କରାଯାଇଥିବା ବେଳେ ପୂର୍ବରୁ ଥିବା ପ୍ରାକୃତିକ ଜଳ ନିଷ୍କାସନ ନାଳ ଗୁଡିକ ସମୟ କ୍ରମେ ପୋତିହୋଇପଡିଛି । ଯାହା ଦ୍ୱାରାକି ଏହି ନୂତନ କଲୋନୀର ଉଦବୃତ ଜଳ ନିକଟରେ ବହିଯାଉଥିବା ୨୦ନମ୍ବର ପାଟନାଳୀକୁ(ଗିରିବୋଲା ଠାରୁ ଠାକୁରପାଟଣା ପର୍ଯ୍ୟନ୍ତ) ନିଷ୍କାସନ ନହୋଇପାରି ଗଳିକନ୍ଦି ରାସ୍ତା ସବୁ ବୁଡିଯିବା ସହ କଲୋନିର ଘର ଗୁଡିକ ଭିତରେ ପାଣି ପଶିବା ଦ୍ୱାରା ବହୁ କ୍ଷତିର ସମ୍ମୁଖିନ ହେଉଛନ୍ତି କଲୋନୀବାସୀ । ବିଶେଷ କରି ୨୦ନମ୍ବର ପାଟନାଳୀ ସଫେଇ ହୋଇ ଆଇନ କଲେଜ ନିକଟରେ ପୋଲ ହେବା ପରେ ଉପଯୁକ୍ତ ଭାବରେ ଉଦବୃତ ଜଳ ନିଷ୍କାସନ ହୋଇନପାରିବାରୁ ସ୍କୁଲ ଓ କଲେଜ ପିଲାମାନେ କଲୋନୀ ରାସ୍ତାରେ ଯିବା ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେଣୁ ସେହି କଲୋନୀର ଉଦୟନଗର ଗ୍ରାମକୁ ସଂଯୋଗ କରୁଥିବା ଆଇନ କଲେଜର କଲୋନୀ ରାସ୍ତା ଠାରୁ ୨୦ନମ୍ବର ପାଟନାଳୀ ପୋଲ ପର୍ଯ୍ୟନ୍ତ ପ୍ରାୟ ତିନିଶହ ମିଟର ଲମ୍ବ ରାସ୍ତା କଡରେ ଥିବା ପୋତି ହୋଇପଡିଥିବା ପ୍ରାକୃତିକ ନାଳିର ପୁନରୁଦ୍ଧାର କରାଗଲେ ବର୍ଷାଦିନର ଦୁର୍ଦ୍ଦଶାରୁ ମୁକ୍ତହେବା ସହ କଲୋନୀବାସୀଙ୍କ ବହୁଦିନର ସମସ୍ୟାର ସମାଧାନ ହୋଇପାରିବ ବୋଲି ସେମାନେ ବିଧାୟକଙ୍କ ନିକଟରେ ନିବେଦନ କରିଥିଲେ । କଲୋନୀବାସୀଙ୍କ ପକ୍ଷରୁ ପ୍ରଭାକର ମଲ୍ଲିକ,ବିଜୟ କୁମାର ନାୟକ,ସରୋଜ କୁମାର ସ୍ୱାଇଁ,ଡା.ମଧୁସୁଦନ ଶର୍ମା,ପ୍ରମୋଦ କୁମାର ରାଉତ,ରଞ୍ଜନ କୁମାର ସାମଲ,ଅଲେଖ ଚନ୍ଦ୍ର ସାହୁ,ବସନ୍ତ କୁମାର ଜେନା,ନଗେନ୍ଦ୍ର ନାଥ ମହାନ୍ତି,ଭ୍ରମରବର ବେହେରା,ଫକିର ଚରଣ ରାଉତ,ସତ୍ୟପ୍ରିୟ ପରିଡା,ରଞ୍ଜନ କୁମାର ସାହୁ,ସ୍ୱର୍ଣ୍ଣପ୍ରଭା ନାୟକ,ଡା.ବସନ୍ତ କୁମାର ବାରିକ,ଚିନ୍ତାମଣି ମିଶ୍ର,ରାଜକିଶୋର ସାହୁ ପ୍ରମୁଖ ବିଧାୟକ ଶ୍ରୀ ବେହେରାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ବିଧାୟକ ଶ୍ରୀ ବେହେରା ଏ ସମ୍ପର୍କରେ ଡ୍ରେନେଜ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ