ନିଦ ଔଷଧ ଖାଉଥିଲେ…
ନିଦ ଔଷଧ ସେବନକାରୀଙ୍କୁ ଏଣିକି ସତର୍କ ରହିବାକୁ ପଡ଼ିବ । ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁମାନେ ନିଦ ହେବାକୁ ପାୱାର୍ଫୁଲ୍ ଔଷଧ ସେବନ କରୁଛନ୍ତି, ସେମାନଙ୍କଠାରେ ଆଲଝେମିୟର୍ ଆଶଙ୍କା ଅନେକ ଗୁଣ ବଢ଼ିଯାଏ । ଗବେଷକଙ୍କ ଅନୁସାରେ, ଯେଉଁମାନେ ନିଦ ହେବାକୁ ସାମାନ୍ୟ ମାତ୍ରାଠୁ ଉଚ୍ଚ ମାତ୍ରାର ଔଷଧ ସେବନ କରନ୍ତି, ସେମାନଙ୍କ ମସ୍ତିଷ୍କ ଧୀରେ ଧୀରେ ଦୁର୍ବଳ ହୋଇଯାଏ । ମସ୍ତିଷ୍କର କାର୍ଯ୍ୟପ୍ରଣାଳୀରେ ବାଧା ସୃଷ୍ଟି ହୁଏ । ଯଦ୍ୱାରା ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାଏ । ୟୁନିଭରସିଟି ଅଫ୍ ଇଷ୍ଟର୍ଣ୍ଣ ଫିନ୍ଲ୍ୟାଣ୍ଡ୍ର ହୋଇଥିବା ଏହି ଗବେଷଣାରେ ବ୍ରିଟେନ୍ ଏବଂ ଆମେରିକାର ଲୋକମାନେ ସାମିଲ ଥିଲେ । ଗବେଷକ ଦାବି କରିଛନ୍ତି, ବ୍ରିଟେନ୍ର ୨୬,୦୦,୦ ଲୋକ ଏବଂ ଆମେରିକାର ୧୦ କୋଟି ଲୋକ ବେଞ୍ଜୋସ୍ ଏବଂ ଜେଡ୍ ଡ୍ରଗ୍ ମାସକୁ ଅତିକମ୍ରେ ଥରେ ସେବନ କରିଥାନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ଅନେକ ଅଛନ୍ତି, ଯେଉଁମାନେ ଏହି ଔଷଧକୁ ମାସକୁ ଚାରି ଥର ସେବନ କରିବାରେ ଅଭ୍ୟସ୍ତ । ଏହି ଔଷଧର ବ୍ୟବହାର ଦ୍ୱାରା ମସ୍ତିଷ୍କର ସକ୍ରିୟତା ହ୍ରାସ ପାଇଥାଏ । ଏହା ଧୀରେ ଧୀରେ ଆଲ୍ଝେମିୟର୍ ଭଳି ରୋଗର ସୃଷ୍ଟି କରିଥାଏ । ତେଣୁ ଏଭଳି ଔଷଧ ସେବନ ପୂର୍ବରୁ ଡାକ୍ତରୀ ପରାମର୍ଶ ଜରୁରୀ । ମାତ୍ରା କମ୍ ରହିବା ମଧ୍ୟ ଠିକ୍ ହେବ । ଯଦିଓ ଏହି ଔଷଧ ଅନିଦ୍ରା ଏବଂ ଅବସାଦରୁ ମୁକ୍ତି ଦେଇଥାଏ, କିନ୍ତୁ ଏହାର କୁପ୍ରଭାବ ଅସମୟରେ ମୃତ୍ୟୁକୁ ଡାକିଆଣିପାରେ ।


