ଆତ୍ମନିର୍ଭର ଭାରତ ସମ୍ପର୍କିତ ସଚେତନତା

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ସମସ୍ତ ବ୍ୟାଙ୍କ ପରିଚାଳକ ଓ ଉଦ୍ୟୋଗୀମାନଙ୍କୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ନୱାଲ କିଶୋର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସଶକ୍ତ କରିବା ପାଇଁ ଭାରତ ସରକାର ଘୋଷଣା କରିଥିବା ଆତ୍ମ ନିର୍ଭର ଭାରତ ପ୍ୟାକେଜ ଉପରେ ଆଲୋଚନା ହୋଇଥିଲା। ଏହିସବୁ ଉଦ୍ୟୋଗରେ ନିୟୋଜିିତ ଥିବା ଲୋକଙ୍କ ପାଇଁ ୩ ଲକ୍ଷ କୋଟି ଟଙ୍କା ବନ୍ଧକ ଋଣର ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁ ଉଦ୍ୟୋଗୀଙ୍କର ଋଣ ଏନ୍‌.ପି.ଏ ଖାତାରେ ସାମିଲ ହୋଇଛି, ସେମାନଙ୍କୁ ୨୦ ହଜାର କୋଟି ଟଙ୍କାର ଋଣ ଦିଆଯିବା ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ ଯେଉଁ ଉଦ୍ୟୋଗୀ ଭଲ କାରବାର କରୁଛନ୍ତି ଏବଂ ବ୍ୟବସାୟ ସଂପ୍ରସାରଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ୫୦ ହଜାର କୋଟି ଟଙ୍କାର ସହାୟତା ଓ ସୁଯୋଗ ସୃଷ୍ଟି କରାଯିବ। ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରୟବିକ୍ରୟ ପାଇଁ ଗ୍ଲୋବାଲ୍‌ ଟେଣ୍ଡର କରାଯିବ ନାହିଁ। ଏହି ସବୁ ଉଦ୍ୟୋଗର ପରିଭାଷା ମଧ୍ୟ ବଦଳିଯାଇଛି। ପୂର୍ବରୁ ମାନଦଣ୍ଡ ପ୍ଲାଣ୍ଟ ଓ ମେଶିନାରି କିମ୍ବା ଇକ୍ୟୁପ୍‌ମେଣ୍ଟରେ ନିବେଶ ଥିବାବେଳେ ଏବେ ଏହା ହେଲା ନିବେଶ ଓ ବାର୍ଷିକ କାରବାର। ନିର୍ମାଣ ଏବଂ ସେବା ଉଦ୍ୟୋଗ ବିଭାଗର ଅଣୁ ଉଦ୍ୟୋଗୀମାନଙ୍କ ପାଇଁ ନିବେଶ ୧ କୋଟି ପର୍ଯ୍ୟନ୍ତ ଓ ବାର୍ଷିକ କାରବାର ୫ କୋଟି ପର୍ଯ୍ୟନ୍ତ ରଖାଯାଇଛି l କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ପାଇଁ ନିବେଶ ୧୦ କୋଟି ପର୍ଯ୍ୟନ୍ତ ଓ ବାର୍ଷିକ କାରବାର ୫୦ କୋଟି ପର୍ଯ୍ୟନ୍ତ ଏବଂ ମଧ୍ୟମ ଉଦ୍ୟୋଗୀମାନଙ୍କ ପାଇଁ ନିବେଶ ୨୦ କୋଟି ପର୍ଯ୍ୟନ୍ତ ଓ ବାର୍ଷିକ କାରବାର ୧୦୦ କୋଟି ପର୍ଯ୍ୟନ୍ତ ରଖାଯାଇଛି। ବ୍ୟବସାୟ ଓ କର୍ମଚାରୀମାନଙ୍କ ୩ ମାସର ଇ.ପି.ଏଫ୍‌. ସହାୟତା ପାଇଁ ୨ ହଜାର ୫୦୦ କୋଟି ଟଙ୍କା ବ୍ୟବସ୍ଥା, ବ୍ୟବସାୟ ଓ କର୍ମଚାରୀମାନଙ୍କର କମ୍‌ ହୋଇଯାଇଥିବା ୩ ମାସର ଇ.ପି.ଏଫ୍‌. ନଗଦ ଜମା ଆକାରରେ ୬ ହଜାର ୭୫୦ କୋଟି ଟଙ୍କା ବ୍ୟବସ୍ଥା ସହିତ ଅନ୍ୟାନ୍ୟ ସୁବିଧା ଓ ସୁଯୋଗ ସୃଷ୍ଟି କରାଯାଇଛି। ବୈଠକରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ବି. କେ. ମାନ୍ଧାତା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଏସ୍‌. ରାଓ, ସାଉଥ୍‌କୋ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମହାନ୍ତିି, ବ୍ରହ୍ମପୁର ସ୍ଥିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସହକାରୀ ପରିବେଶ ଯନ୍ତ୍ରୀ ମହେଶ୍ୱର ବେହେରା, ବାଣିଜ୍ୟ କର ଏବଂ ଦ୍ରବ୍ୟ ଓ ସେବା କର ଉପ-ଆୟୁକ୍ତ ବିଭୁଦତ୍ତ ଆଚାରୀ, ଅଗ୍ରଣୀ ବ୍ୟାଙ୍କର ବିଭାଗୀୟ ସାକ୍ଷର ପରାମର୍ଶଦାତା ଇଜିକ୍ଷା ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଜିଲା ଶିଳ୍ପ କେନ୍ଦ୍ରର ସହକାରୀ ପରିଚାଳିକା ସୁଷମା କରାଲୀ ଓ ଶିଳ୍ପ ବିକାଶ ଅଧିକାରୀ ଦେବରାଜ ସାହୁ ତଥ୍ୟ ଉପସ୍ଥାପନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ