ଆଶ୍ୱାସନା ଦେଲେ ମୋଦି, ପୁଣି ଭାରତର ଅଭିବୃଦ୍ଧି ବଢ଼ିବ
ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତର ଅର୍ଥନୀତିକ ସ୍ଥିତିରେ ସୁଧାର ଆସିବ । ପୁଣି ଭାରତର ଅର୍ଥନୀତିକ ଅଭିବୃଦ୍ଧି ହେବ । ଅନଲକ ୧.୦ ପରେ ଭାରତର ଅର୍ଥନୀତିରେ ସୁଧାର ପରିଲକ୍ଷିତ ହେଉଛି । କର୍ପୋରେଟ ସଂସ୍ଥା ଓ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନାକାଳରେ ଏଭଳି ଆଶ୍ୱାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅନଲାଇନରେ ସିଆଇଆଇ ସମ୍ମେଳନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେଯେ, ପୁଣି ଭାରତର ଅର୍ଥନୀତିକ ଅଭିବୃଦ୍ଧି ହେବବୋଲି ମୁଁ କହୁଥିବାରୁ ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ହେଲେ ଭାରତର ଦକ୍ଷତା ଓ ଉଦ୍ଭାବନ, କଠିନ ପରିଶ୍ରମ , ଉଦ୍ୟୋଗୀ ଓ ମାନବସମ୍ବଳ ଉପରେ ମୋର ବିଶ୍ୱାସ ରହିଛି । ଗୋଟିଏ ପଟେ ସଂକ୍ରମଣକୁ ରୋକିବା ଓ ଅପରପକ୍ଷରେ ଅର୍ଥନୈତିକ ପ୍ରଗତି ଜାରି ରଖିବାକୁ ପଡ଼ିବ । କରୋନା ସଂକଟ କାରଣରୁ ଆମ ଅର୍ଥନୀତି ବି ପ୍ରଭାବିତ ହୋଇସାରିଛି ।
ସେହିପରି କରୋନା ଆମ ଆର୍ଥିକ ପ୍ରଗତିକୁ ମନ୍ଥର କରିଥାଇପାରେ, କିନ୍ତୁ ଭାରତ ଏବେ ଅନଲକ ପର୍ଯ୍ୟାୟକୁ ଯାଇଛି । ଯେଉଁଥିପାଇଁ ଅଭିବୃଦ୍ଧିରେ ସୁଧାର ହେବା ଆରମ୍ଭ ହୋଇସାରିଛି । ମଲ, ହୋଟେଲ ଓ ରେଷ୍ଟୁରାଂଟ ଖୋଲିବାକୁ ଅନୁମତି ମିଳିଛି । ମୋଦି ଆତ୍ମନିର୍ଭର ଭାରତ କଥା କହିବା ସହ ୫ ‘ଆଇ’ ଇଂଟେଟ, ଇନକ୍ଲୁଜନ, ଇନଭେଷ୍ଟମେଂଟ, ଇନଫ୍ରାଷ୍ଟ୍ରକଚର, ଇନୋଭେସନ ଉପରେ ଗୁରୁତ୍ୱାରୋପ କରିଥିଲେ ।


