ଟ୍ରକ ଧକାରେ ମା ଓ ପୁଅ ମୃତ
ଯୋଡା (ସମୀର କୁମାର ଦାସ) : ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତ୍ର୍ଗତ ନିର୍ମାଣଧୀନ ୫୨୦ନଂ ଜାତୀୟ ରାଜପଥର କଣ୍ଡରାଠାରେ ଟ୍ରକ ଧକାରେ ମା ଓ ପୁଅ ର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ଗୁରୁବାର ପୂର୍ବାହ୍ନ ୧୦.୩୦ ମିନିଟ୍ ସମୟରେ ଦଡୁଆଁ ଗ୍ରାମର ସୁଲୋଖିଣୀ ଗିରି ଓ ତାଙ୍କ ପୁଅ ସୁଶୀଲ ଗିରି ଏକ ବାଇକ୍ ନଂ ଓଆର୦୯ ଏନ ୪୧୪୨ ଯୋଗେ ବାସୁଦେବପୁର ଡାକ୍ତରଖାନାରୁ ନିଜ ଘର ଅଭିମୁଖେ ଆସୁଥିବା ବେଳେ କଣ୍ଡରା ଛକ ଠାରେ ଏକ ଦଶ ଚକିଆ ଟ୍ରକ ସେମାନଙ୍କୁ ପଛପଟୁ ଧକା ଦେଇଥିଲା । ଫଳରେ ସୁଲୋଖିଣୀ ଗିରିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ସୁଶୀଲ ଗିରିଙ୍କୁ ଗୁରୁତର ଆହତ ଅବସ୍ଥାରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ଦୁର୍ଘଟଣାସ୍ଥଳରେ ଚାପା ଉତେଜନା ପ୍ରକାଶ ପାଇଥିଲେ ହେଁ, ପୋଲିସ ଘଟଣାସ୍ଥଳରେ ପହନଚି ଏହାକୁ ନିୟନ୍ତ୍ରଣ କରିଛି । ଏହି ଘଟଣାରେ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, କାରଣ ଜାତୀୟ ରାଜପଥ ନିର୍ମାଣ କରୁଥିବା ଠିକାସଂସ୍ଥା ରାଜପଥରେ ଡାଇଭର୍ସନ ରାସ୍ତା ନିର୍ମାଣ କରୁନାହିଁ ଏବଂ ଅଧପନ୍ତରିଆ ରାସ୍ତା ନିର୍ମାଣ କରି ନିର୍ମାଣରେ ବିଳମ୍ବ କରୁଛି । ଯାହା ଫଳରେ ଦୁର୍ଘଟଣା ଏକ ନିତି ଦିନିଆ ଘଟଣାରେ ପରିଣତ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ଏକ ଦଶ ଚକିଆ ଟ୍ରକ ନଂ ଓଆର୦୪ ଜି ୩୦୨୮ କୁ ଅଟକ ରଖିଛି, ଯାହାର ଡ୍ରାଇଭର ଫେରାର ଅଛି ।


