ଦିବାଲୋକରେ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା
କେନ୍ଦୁଝର, : ପୁଣି ପଲସରର ଆତଙ୍କ ସ୍ପଷ୍ଟ ଦିବା ଲୋକରେ ବନ୍ଧୁକ ମୁନରେ ଦୁର୍ବୃତମାନେ ଲୁଟି ନେଇଛନ୍ତି ୯ଲକ୍ଷ ଟଙ୍କା । ଯାହା କି ସାଧାରଣ ନିରୀହ ଲୋକଙ୍କ ଉପରେ ଦବଙ୍ଗ ଗିରି ଦେଖାଇ ନିଜର ଦକ୍ଷତା ପ୍ରଦର୍ଶନ କରୁଥିବା କେନ୍ଦୁଝର ପୋଲିସର ପାରିବା ପଣିଆ ଉପରେ ଉଠିଛି ସ୍ୱଭାବିକ ପ୍ରଶ୍ନ । ଶନିବାର ଦିନ ପୂର୍ବାହ୍ନ ସମୟ ପ୍ରାୟ ସାଢେ ୧୧ ଟା ହେବ । ଉତ୍କଳ କାର୍ଗୋ ମୁଭର୍ରସ କମ୍ପାନୀର ରତି ଓ କ୍ଷମାକର ପାତ୍ର ନାମକ ଦୁଇଜଣ କର୍ମଚାରୀ ଅନ୍ୟାନ୍ୟ ଦିନ ଭଳି ଶନିବାର ଦିନ କେନ୍ଦୁଝର ସହରରେ ଅବସ୍ଥିତ ଆଇ. ଡି. ବି. ଆଇ. ବ୍ୟାଙ୍କରୁ ୯ ଲକ୍ଷ ଟଙ୍କା ଉଠାଇ ଏକ ଏକ ବାଇକରେ ଶୁଆକାଟି ଫେରୁଥିଲେ । ସେମାନେ ଠାକୁରଡିହି ନିକଟରେ ପହଞ୍ଝିବା କ୍ଷଣି ସେମାନଙ୍କୁ ଅନୁଶରଣ କରୁଥିବା ଏକ ପଲସର ବାଇକ ସେମାନଙ୍କର ଗତିପଥ ରୋଧ କରିଥିଲା । ଏବଂ ବନ୍ଧୁକ ଦେଖାଇବା ସହ ଟଙ୍କା ଥଳି ଧରିଥିବା କ୍ଷମାକର ପାତ୍ରଙ୍କ ଦୁଈ ହାତ ଓ କାନ୍ଧକୁ ଭୁଜାଲିରେ ହାଣି ଆଖି ପିଛୁଳାକେ ୯ ଲକ୍ଷ ଟଙ୍କା ଲୁଟି ସେଠାରୁ ଫେରାର ହୋଇଯାଇଥିଲେ । ଏ ସଂପର୍କରେ କମ୍ପାନୀର ମାଲିକ କାମିନୀକାନ୍ତ ମହାନ୍ତ ସୂଚନା ଦେଇଛନ୍ତି । କିନ୍ତୁ ଆହତ କ୍ଷମାକର ପାତ୍ରଙ୍କୁ ନେଇ ଘଟଣାର ତଦନ୍ତ କରିବା ଆଳରେ ପୋଲିସ ତାଙ୍କୁ ଗଣମାଧ୍ୟମ ସମ୍ମୁଖରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଲୁଚକାଳି ଖେଳୁଥିବାରୁ ତାଙ୍କର ମତାମତା ନିଆଯାଇପାରି ନାହିଁ । ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଦୁର୍ବୃତ ଯେଭଳି ଆଖି ପିଛୁଳାରେ ଲକ୍ଷାଧିକ ଟଙ୍କା ଲୁଟି ନେବାରେ ସକ୍ଷମ ହେଲେ ଏଭଳି ଘଟଣାରେ ପୋଲିସ ପାରିବା ପଣିଆ ଉପରେ ସାଧାରଣରେ ଉଠିଛ ଏକ ବଡ ପ୍ରଶ୍ନ ।


