ଗଞ୍ଜାମ ଜିଲ୍ଲା ସଂଘର ୫ ଦଫା ଦାବି ନେଇ ବିକ୍ଷୋଭ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ଗଞ୍ଜାମ ଜିଲ୍ଲା ସଂଘ ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଓଡିଶାର ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି ଆଇ.ସି.ଟି. ଇ-ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରାଯାଉ, ଉଚ୍ଚ ବିଦ୍ୟାଳୟ ଛାତ୍ରଛଆତ୍ରୀମାନଙ୍କ ପାଠ୍ୟକ୍ରମରେ କମ୍ପ୍ୟୁଟର ବିଷୟ ବାଧ୍ୟତାମୂଳକ କରାଯାଉ, ଏହି ଆଇ.ସି.ଟି. ଇ-ବିଦ୍ୟାଳୟ ଯୋଜନାକୁ ଘରୋଇକରଣ କରାନଯାଇ ସରକାରଙ୍କ ଶିକ୍ଷାବିଭାଗ ଅଧୀନରେ ପରିଚାଳିତ କରାଯାଉ, ଦୀର୍ଘ ପାଞ୍ଚବର୍ଷ ଧରି ଆଇ.ସି.ଟି. ଇ-ବିଦ୍ୟାଳୟ ଯୋଜନାରେ କାର୍ଯ୍ୟ କରିଆସୁଥିବା ୪୦୦୦ ବିଦ୍ୟାଳୟ ସଂଯୋଜକଙ୍କୁ ପୁନଃ ନିଯୁକ୍ତି ଦିଆଯାଉ ଏବଂ ସମସ୍ତ ବିଦ୍ୟାଳୟ ଯୋଜକମାନଙ୍କୁ ଘରୋଇ ସଂସ୍ଥାକୁ ଟେକିନଦେଇ ସରକାରୀ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଉ ପ୍ରମୁଖ ୫ ଟି ଦାବି ସଂକ୍ରାନ୍ତୀୟ ଏକ ଦାବି ପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁଙ୍କୁ ସଂଘ ପକ୍ଷରୁ ପ୍ରଦାନ କରାଯାଇଛି । ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ଆଇ.ସି.ଟି. ପ୍ରୋଜେକ୍ଟ ଓ ସେଥିରେ ନିୟୋଜିତ ହୋଇଥିବା ବିଦ୍ୟାଳୟ ସଂଯୋଜକମାନଙ୍କ ନିଯୁକ୍ତିରୁ ଛଟେଇ କରାଯାଇଛି । ସମଗ୍ର ରାଜ୍ୟରେ ୪୦୦୦ ସଂଯୋଜକଙ୍କ ଜୀବନ ଜୀବିକା ଓ ଭବିଷ୍ୟତକୁ ଦୃଷ୍ଟିପାତ କରି ପୁନଃ ନିଯୁକ୍ତି ନିମନ୍ତେ ଓଡିଶାର ସରକାର ଓ ବିଭାଗୀୟ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରାଯାଉଛି । ପୂର୍ବରୁ ଭୁବନେଶ୍ୱର ପିଏମ୍ଜି ଛକରେ ଦୀର୍ଘ ୨୩୪ ଦିନ ଧରି ରାଜ୍ୟ ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ଏଥିରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ସେମାନଙ୍କ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ତାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ତୁରନ୍ତ ଏହି ଦିଗରେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପଦକ୍ଷେପ ନ ନିଅନ୍ତି ତେବେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜିର ଏହି ବିକ୍ଷୋଭରେ ସଂଘର ଉପସଭାପତି ମଳୟ କୁମାର ଚାନ୍ଦଙ୍କ ନେତୃତ୍ୱରେ ସହ ସଂପାଦକ ଭୈରବ ଚରଣ ଦାସ, କୋଷାଧ୍ୟକ୍ଷ ହୃଷିକେଶ ମିଶ୍ର, କମିଟି ସଦସ୍ୟ ରାଜେଶ ମୁଦୁଲି, ଶ୍ରୀକାନ୍ତ ପାତ୍ର, ନାରାୟଣ ଦାସ, ଗୋଲକ ବିହାରୀ ପଟ୍ଟନାୟକଙ୍କ ସମେତ ଶତାଧିକ ସଂଯୋଜକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ