ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରୟାସ
ହିଂଜିଳିକାଟୁ (ଶେଷଦେବ ସାହୁ) : ହିଂଜିଳିକାଟୁ ପୌରାଂଚଳକୁ ସବୁଜ ସୁନ୍ଦର କରିବା ସହ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ହିଂଜିଳିକାଟୁ ପୌରାଂଚଳର କାର୍ଯ୍ୟ ନିର୍ବାହି ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ ବିଭାଗୀୟ କର୍ମଚାରୀ ମାନେ ବିଭିନ୍ନ ସାହି ବସ୍ତି ଗ୍ରସ୍ତ କରି ଓ ମଇଳା ସଂଗ୍ରହ ଗାଡ଼ିରେ ଡ଼ାକବାଜି ଯନ୍ତ୍ର ସହାୟତାରେ ପୌରାଂଚଳବାସୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଛି ।
ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ୱାର୍ଡ଼କୁ ସଫେଇ କର୍ମଚାରୀ , ଜମାଦାର, ପରିଦର୍ଶକ ମାନେ ଗ୍ରସ୍ତ କରି ଆର୍ବଜନା ରଖିବା ପାଇଁ ସହରବାସୀଙ୍କୁ ପ୍ରଦାନ କରାଯାଇଥିବା ନୀଳ ଓ ସବୁଜ ରଙ୍ଗର ଡ଼ଷ୍ଟବିନରୁ ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି । ନୀଳ ରଙ୍ଗର ଡ଼ଷ୍ଟବିନରେ ଶୁଖିଲା ଓ ସବୁଜ ରଙ୍ଗର ଡ଼ଷ୍ଟବିନରେ ଓଦାଳିଆ ସାମଗ୍ରୀ ପକାଇବାକୁ ଏବଂ ପ୍ରତ୍ୟେହ ପୌର ପ୍ରଶାସନ ପକ୍ଷରୁ ଆର୍ବଜନା ସଂଗ୍ରହ କରିବା ପାଇଁ ଆସୁଥିବା ଗାଡ଼ିରେ ପକାଇବାକୁ ସହରବାସୀଙ୍କୁ ପୌର ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ଏତଦ୍ବ୍ୟତିତ ଖୋଲା ସ୍ଥାନରେ ମଳତ୍ୟାଗ ନକରିବା, ପାଇଖାନା ବ୍ୟବହାର କରିବା, ସର୍ବସାଧାରଣ ସ୍ଥାନରେ ପାର୍କିଂ ନକରିବା, ବିଧବା ଭତା, ବିକଳାଙ୍ଗ ଭତା, ପାଇଖାନା ନିର୍ମାଣ ପାଇଁ ପୌର ପରିଷଦ ପକ୍ଷରୁ ଆର୍ଥୀକ ସହାୟତା ସମେତ ପ୍ଳାଷ୍ଟିକ ଓ ପଲିଥିନ ବର୍ଜନ ଉପରେ ସଚେତନ କରାଯାଉଛି । ସେହିଭଳି କାର୍ଯ୍ୟ ନିର୍ବ୍ରାହୀ ଅଧିକାରୀ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଗତ କିଛି ଦିନ ଧରି ଏନଫୋର୍ସମେଂଟ ଟିମ ଗଠନ କରାଯାଇ ସହରର ବିଭିନ୍ନ ସ୍ଥାନରେ ଓ ବ୍ୟବସାୟିକ ଅନୁଷ୍ଠାନ ଗୁଡ଼ିକରେ ଚଢାଉ କରାଯାଇ ବିପୁଳ ପରିମାଣରେ ପାଣି ପାଉଊଚ୍ ବସ୍ତା ସମେତ ବିପୁଳ ପରିମାଣରେ ପଲିଥିନ ଜବତ କରାଯିବା ସହ ଜୋରିମାନା ଆଦାୟ କରାଯାଉଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଗୃହ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ହିଂଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ବିଗତ କିଛି ଦିନ ହେଲା ଆରମ୍ଭ ହୋଇଥିବା ପ୍ଳାଷ୍ଟିକ, ପଲିଥିନ୍ ଓ ପାଣି ପାଉଚ ଧରପଗଡ଼ ଅଭିଯାନ ଦିନକୁ ଦିନ ଜୋର ଧରୁଛି ।