ଟିକଟକ୍ ହେଲା କାଳ, ନଦୀରେ ବୁଡ଼ି ଜଣେ ମୃତ
ବାଲିକୁଦା: ଟିକଟକ କରିବାକୁ ନଦୀକୂଳକୁ ଯାଇଥିବା ୪ ଜଣ ନାବାଳିକ-ନାବିଳାକ ଭାଇ ଭଉଣୀ ନଈରେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଜଗତସିଂହପୁର ଜିଲ୍ଲା ମାଛଗାଁ ଅଞ୍ଚଳର ଦେବୀନଦୀରେ ଏହି ଦୁଃଖଦ ଘଟଣା ଘଟିଛି । ଗୁରୁତର ଜଣେ ନାବାଳିକକୁ ବାଲିକୁଦା ଡାକ୍ତରଖାନାରେ ଏବଂ ୨ ନାବାଳିକାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତ ନାବାଳିକା ହେଉଛନ୍ତି ଜଗତସିଂହପୁର ଥାନା ରାଇବରେଇ ଗାଁର ନିତ୍ୟାନନ୍ଦ ନାୟକଙ୍କ ଝିଅ ପୂଜା (୧୪) ଆହତ ୩ ଜଣ ହେଉଛନ୍ତି ଦେପଡ଼ା ଗାଁର ପ୍ରସାଦ ପରିଡ଼ାଙ୍କ ୧୩ ବର୍ଷର ପୁଅ ଅମରେଶ ଓ ୧୫ ବର୍ଷର ଝିଅ ପ୍ରଜ୍ଞା ଏବଂ ନାଉଗାଁ ଥାନା ଓଷକଣା ଗାଁର ଅବିନାଶ ସ୍ୱାଇଁଙ୍କ ୧୪ ବର୍ଷର ଝିଅ ନିଲମ । ମିଳିଥିବା ସୂଚନା ମୁତାବକ ମଙ୍ଗପୁର ଗାଁର ପ୍ରଭାତ ଜେନାଙ୍କର ଘର ଛାତ ପଡ଼ୁଥିଲା । ସେଥିପାଇଁ ଏହି ୪ ଜଣ ମାମୁ ଘରକୁ ବୁଲି ଆସିଥିଲେ । ଘର ଛାତ ପଡୁଥିବା ବେଳେ ୪ ଭାଇଭଉଣୀ ନଦୀ କୂଳକୁ ଟିକଟକ କରିବା ପାଇଁ ଯାଇଥିଲେ । ନଦୀ କୂଳରେ ସମସ୍ତେ ମୋବାଇଲରେ ସୁଟିଂ କରି ଟିକଟକ କରୁଥିଢବା ବେଳେ ଅସାବଧାନତା ହେତୁ ପୂଜା ନଦୀ ଭିତରକୁ ଖସି ପଡ଼ିଥିଲା । ପୂଜାକୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ନଦୀ ଭିତରକୁ ପଶିଥିଲେ । ତେବେ ପାଣି ସୁଅରେ ତିନି ଜଣ ଭାସିଯାଉଥିବା ଦେଖି ଅବିନାଶ ସ୍ୱାଇଁଙ୍କ ଝିଅ ନିଲମ ଫୋନ କରି ମାମୁ ଘର ଲୋକଙ୍କୁ ଡାକ ପକାଇଥିଲା ଓ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିଜେ ନଦୀ ଭିତରକୁ ପଶିଥିଲା । କିନ୍ତୁ ନିଲମ ମଧ୍ୟ ଭାସି ଯାଇଥିଲା । ନିଲମର ଫୋନ ପାଇ ନଦୀ କୂଳରେ ମାମୁଁ ଘର ଲୋକ ପହଞ୍ଚି ୪ ଜଣଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ବାଲିକୁଦା ଅଗ୍ନିଶମ ବିଭାଗ ମଧ୍ୟ ପହଞ୍ଚିଥିଳେ । କିନ୍ତୁ ଉଦ୍ଧାର ବେଳକୁ ପୂଜାର ମୃତ୍ୟୁ ଘଟିଥିଲା ।