ଚିନାରୀ ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ
ଗୁଣପୁର,(ୱାଇଏନଏସ):ରାୟଗଡ଼ା ଜିଲ୍ଲା ଗୁଣପୁର ସହର ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩)ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ ଓ ଧାର୍ମିକ ସେବା କାର୍ଯ୍ୟ ପାଇଁ ଆମେରିକାସ୍ଥିତ ୟୁନାଇଟେଡ୍ ଥିଓଲୋଜିକାଲ୍ ରିସର୍ଚ୍ଚ ୟୁନିଭରସିଟି ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଗତ ୨୮ ମେ ୨୦୨୬ ତାରିଖରେ ସିକନ୍ଦରବାଦରେ ଆୟୋଜିତ ଆମେରିକାର ବିଶ୍ୱବିଦ୍ୟାଳୟର ୩୮ତମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଗୁଣପୁର କଲେଜରୁ ଯୁକ୍ତ ୨ ବିଜ୍ଞାନରେ ଶିକ୍ଷା ଗ୍ରହଣ କରିଥିବା ସୁଧାରାଣୀ ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ଦୀର୍ଘଦିନ ଧରି ସମାଜସେବା, ଧାର୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ନିଜକୁ ନିୟୋଜିତ କରିଆସୁଛନ୍ତି। ତାଙ୍କର ନିଷ୍ଠାପର ସେବାକୁ ସ୍ୱୀକୃତି ଦେଇ ସାମାଜିକ ସେବା ବିଭାଗରେ ଏହି ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଏହି ଅଵସରରେ ଶ୍ରୀମତି ସୁଧାରାଣୀ କହିଛନ୍ତିଯେ, ଏହି ସମ୍ମାନ ମୋର ଦାୟିତ୍ୱକୁ ଆହୁରି ବଢ଼ାଇ ଦେଇଛି। ମୁଁ ଜଣେ ବୈଶ୍ୟ ମହିଳା ଭାବେ ଗର୍ବିତ। ମୋର ସାମାଜିକ ଓ ଧାର୍ମିକ ସେବାକୁ ସ୍ୱୀକୃତି ମିଳିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଆଗାମୀ ଦିନରେ ଆହୁରି ଅଧିକ ସେବା କରିବା ପାଇଁ ଭଗବାନ ମୋତେ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି ସୁଧାରାଣୀ ହେଉଛନ୍ତି ଗୁଣପୁର ସହରର ଯୁବ ବ୍ୟବସାୟୀ ଚିନାରୀ ୟୁଗେଶ୍ବରଙ୍କ ଧର୍ମପତ୍ନୀ। ଏହି ସଫଳତା ପାଇଁ ତାଙ୍କୁ ଗୁଣପୁର ଅଞ୍ଚଳର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


