କୃଷ୍ଣଚୂଡ଼ାରେ ସଜେଇ ହୋଇଛି ପ୍ରକୃତି
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ବସନ୍ତ ଓ ଗ୍ରୀଷ୍ମ ଋତୁରେ ଅନେକ ପୁଷ୍ପ ତାତିକୁ ଖାତିରି ନକରି ନିଜର ଶୋଭାବର୍ଦ୍ଧନ କରିଥାନ୍ତି। ରଙ୍ଗବେରଙ୍ଗ ଫୁଲର ସମ୍ଭାର ପରିବେଶକୁ ସୁନ୍ଦର କରିଥାଏ।ସବୁଠି ଗ୍ରୀଷ୍ମର ପ୍ରକୋପ। କିନ୍ତୁ ସେ ଏମିତି ଏକ ଫୁଲ ତାକୁ କିଛି ଫରକ ନାହିଁ।ମୁଣ୍ଡ ଫଟା ଖରା ଭିତରେ ସେ ଖିଲି ଖିଲି ହୋଇ ହସୁଛି। ଟୁକଟୁକ ସାଧବ ବୋହୂ ଟେ ପରି ସମସ୍ତ ଙ୍କୁ ବିମୋହିତ କରୁଛି। ସୂର୍ଯ୍ୟଙ୍କ ପ୍ରଖର କିରଣରେ ବେଶ ଜୋରେ ଝଟକୁଛି। କୃଷ୍ଣଚୂଡ଼ାର ବାସ ନଥିଲେ କଣ ହେଲା ତାର ‘ରଙ୍ଗରେ ରଙ୍ଗୀନ ହୋଇଛି ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ଅଂଚଳର ବିଭିନ୍ନ ରାସ୍ତା ପାର୍ଶ୍ୱ।ଯାହା କବି, କବିୟତ୍ରୀ ଓ ପ୍ରକୃତି ପ୍ରେମୀଙ୍କୁ ଆନମନା କରୁଛି । ଅନ୍ୟ ଫୁଲ ଭଳି କୃଷ୍ଣଚୂଡ଼ା ଭାଗ୍ୟରେ ଦିଅଁ ଦେଉଳ ନାହିଁ, କିନ୍ତୁ ତାର ‘ନାଁରେ ଈଶ୍ୱର ଙ୍କ ନାଁ ଯୋଡି ହୋଇଛି। ଦୁନିଆ ତାକୁ କୃଷ୍ଣଚୂଡ଼ା ନାଁ ରେ ଜାଣିଛି।କୃଷ୍ଣଚୂଡ଼ା, ରାଧାଚୂଡ଼ା, ମଧୁ ମାଳତୀ, ଚମ୍ପା, ବସନ୍ତରାଣୀ ଓ ସୁନାରୀ ଭଳିକି ଭଳି ଫୁଲ ଗଛରେ ପେନ୍ଥା ପେନ୍ଥା ହଳଦୀ, ନାଲି, ଗୋଲାପୀ ରଙ୍ଗର ଚାଦର ରେ ଅସ୍ତରଙ୍ଗ, କାକଟପୁର ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ରେ ସୌନ୍ଦର୍ଯ୍ୟ କୁ ଦ୍ବିଗୁଣିତ କରୁଛି। କାକଟପୁର ବ୍ଲକ ଅଧିନ ପାଟସୁନ୍ଦରପୁର, ପାଟପୁର, କୋଣାର୍କ ମୁଖ୍ୟ ରାସ୍ତା, ଅସ୍ତରଙ୍ଗ ବ୍ଲକ ଅଧୀନ ନଇଁଗୁଆଁ କ୍ଲାସ ରୋଡ଼, ଶିଶୁଅ ମୁଖ୍ୟ ରାସ୍ତା, ଚକ୍ରପଡା, ମାଣ୍ଡୁକି ରାସ୍ତା ପାର୍ଶ୍ୱରେ ଏହି କୃଷ୍ଣଚୂଡ଼ା ଫୁଲ ଶୋଭାବର୍ଦ୍ଧନ କରୁଛି। ପ୍ରଖର ବୈଶାଖ ରେ ସେ ତାଜା ମୁହଁ। ସେହି ବୈଶାଖ ରେ ସେ ତରୁଣ ହୁଏ, ପ୍ରେମ କରେ ନିଦାଘ କୁ। ଗାଁ ରାସ୍ତା ପାର୍ଶ୍ୱରେ ଗଛରେ ଶୋଭା ବଢା଼ଉଥାଏ କୃଷ୍ଣଚୂଡ଼ା। ସତେ ଯେମିତି ତାକୁ ଦେଖିଲେ ପଥିକର ତୃଷ୍ଣା ମେଣ୍ଟିଯାଉଛି। ପ୍ରଚଣ୍ଡ ଖରା ରେ ସେ ଆସିଛି ନାଲି ଟୁକଟୁକ ସାଧବ ବୋହୂ ଟେ ପରି। କବିର ମନରେ ଫୁଟାଉଛି କବିତାର ଆସର।ଦିନ କେଇଟା ପରେ ସେ ଝଡିଯିବ ହେଲେ ଛାଡିଯିବ ଆଉ ଏକ ବର୍ଷ ପାଇଁ ସ୍ମୃତି।ଏହି ଫୁଲର ଅନେକ ଔଷଧୀୟ ଗୁଣରହିଥିବା ବେଳେ ଗ୍ରୀଷ୍ମଋତୁରେ ଏହା ଲୋକଙ୍କୁ ଆକୃଷ୍ଟ କରିଥାଏ।


