କମା ପଦ୍ମନାଭପୁର ଠାରେ ରଥଯାତ୍ରା ପାଳନ
ଦିଗପହଣ୍ଡି (ୱାଇଏନ୍ଏସ୍): ଚଳିତ ବର୍ଷ କରୋନା କଟକଣା ତଥା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶକୁ ସମ୍ମାନ ଜଣାଇ କମା ପଦ୍ମନାଭପୁର ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ସମସ୍ତ ନୀତିକାନ୍ତି ମନ୍ଦିର ପରିସରରେ ହିଁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ଗୁଣ୍ଡିଚା ଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ, ବଡଭାଇ ଶ୍ରୀ ବଳଭଦ୍ର ଏବଂ ଭଉଣୀ ଦେବୀ ଶୁଭଦ୍ରାଙ୍କୁ ସ୍ନାନମଣ୍ଡପରେ ଚିତ୍ରିତ ଖଡିରଥ ଉପରକୁ ପହଣ୍ଡି ବିଜେ କରାଯାଇଥିବା ଜଣାପଡିଛି।ଗତକାଲି ମଧ୍ୟାହ୍ନ ତିନି ଘଣ୍ଟା ସମୟରେ ଶ୍ରୀ ଜିଉ ମାନଙ୍କ ଶ୍ରୀ ଅଙ୍ଗରେ ସେନାପଟା ଲାଗି କରାଯାଇଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ଦୈନିକ ନୀତିକାନ୍ତି କାଯ୍ୟକ୍ରମ ଶେଷ କରାଯାଇ ପହଣ୍ଡି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିଲା।ଅପରାହ୍ନରେ ମଣ୍ଡପ ଶୋଧନ ତଥା ବିଧିପୂର୍ବକ କାର୍ଯ୍ୟ ଶେଷ ହେବାପରେ ସନ୍ଧ୍ୟା ସମୟରେ ପହଣ୍ଡିଆ ମାନେ ଧାଡି ପହଣ୍ଡିରେ ଶ୍ରୀ ଜିଉ ମାନଙ୍କୁ ରଥ ମଣ୍ଡପ ଉପରକୁ ବିଜେ କରାଇଥିଲେ। ମନ୍ଦିରର ମୂଖ୍ୟ ସେବକ ଗୌରାଙ୍ଗ ଚରଣ ତତ୍ଵାବଧାନରେ ସମସ୍ତ ନୀତି ସମ୍ପାଦିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଏନ ଚନ୍ଦ୍ରଶେଖର ଶର୍ମା , ଏନ ବିଜୟକୁମାର ଶର୍ମା , ଏନ୍ ରବିକୁମାର ଶର୍ମା , ଏନ୍ ଗାଣେଶୁ , ଏସ୍ ଭେଙ୍କଟରାମାଣା ଶର୍ମା , ଏସ୍ ସିତାରାମମୂର୍ତ୍ତି ଶର୍ମା , ଏନ ଶ୍ରୀନିବାସ ରାଓ , ସାମ୍ବାଦିକ ରବିକୁମାରଶର୍ମା ଏବଂ ସୀମିତ ସେବାୟତଙ୍କ ଗହଣରେ କୋଭିଡ-୧୯ ନିୟମ ଅନୁସରଣ କରି ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା।