ବଢୁଛି ଚୀନର ଉଦଣ୍ଡତା

ୱାସିଂଟନ: ପୂରା ବିଶ୍ବ କରୋନା ଭାଇରସ୍‌ ସହ ସଂଘର୍ଷ କରୁଥିବାବେଳେ ଚୀନ୍‌ ସାରା ବିଶ୍ବକୁ ନିଜ କବଜାରେ ଲାଗି ବ୍ୟାପକ ଷଡ଼ଯନ୍ତ୍ର ଚଳାଇଛି। ଚୀନ୍‌ ଏବେ ପୂରା ବିଶ୍ବକୁ ନିଜର ସାମରିକ ଶକ୍ତିର ପରିଚୟ ଦେବାକୁ ଚାହୁଛି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ଚୀନ୍‌ ପଡ଼ୋଶୀମାନଙ୍କ ସହ ଉତ୍ତେଜନା ବଢ଼ାଇ ଅନ୍ୟ ମହାଶକ୍ତିମାନଙ୍କୁ ଚ୍ୟାଲେଞ୍ଜ କରୁଛି। ଗତ ବର୍ଷ ନଭେମ୍ବରରୁ ଚୀନ୍‌ରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍‌ ଧୀରେ ଧୀରେ ସମଗ୍ର ବିଶ୍ବରେ କାୟା ବିସ୍ତାର କଲା ଏବଂ ଚୀନ୍‌ ପ୍ରଥମେ ଏଥିରୁ ନିସ୍ତାର ପାଇଗଲା। ଗୋଟିଏ ପଟେ ଭାରତର ପୂର୍ବ ଲଦାଖ୍‌ରେ ସାମରିକ ହିଂସାକୁ ପ୍ରୋତ୍ସାହନ ଦେଉଥିବା ବେ‌ଳେ, ଅନ୍ୟପଟେ ଚୀନ୍‌ର ଯୁଦ୍ଧ ଜାହାଜ ଜାପାନରେ ଉତ୍ତେଜନା ବଢ଼ାଉଛି। ଏହା ସହିତ ଚୀନ୍‌ ତାଇୱାନର ବାୟୁସୀମାକୁ ତୁହାକୁ ତୁହା ଉଲ୍ଲଂଘନ କରି ଯୁଦ୍ଧ ବିମାନ ଉଡ଼ାଇବାରେ ଲାଗିଛି। ଦକ୍ଷିଣ ଚୀନ୍‌ ସାଗରରେ ଅନ୍ୟ କୌଣସି ରାଷ୍ଟ୍ରର ଅଧିକାରକୁ ଗ୍ରହଣ କରାଯିବ ନାହିଁ ବୋଲି ଚୀନ୍‌ ଘୋଷଣା କରିଛି। ଏହାକୁ ନେଇ କେବଳ ଏସିଆ ନୁହେଁ, ୟୁରୋପ ଏବଂ ଆମେରିକାରେ ମଧ୍ୟ ଚିନ୍ତା ବଢ଼ିଯାଇଛି।
ଚୀନ୍‌ ବିଗତ କିଛି ବର୍ଷ ମଧ୍ୟରେ ନିଜର ସାମରିକ ଶକ୍ତିକୁ ଅତି ବିଶାଳ ରୂପ ଦେଇଛି ଏବଂ ଏହି ଶକ୍ତି ବଳରେ ଏବେ ପୂରା ବିଶ୍ବକୁ ଚ୍ୟାଲେଞ୍ଜ କରିବାକୁ ଚୀନ୍‌ ସକ୍ଷମ ବୋଲି ସଙ୍କେତ ଦେଉଛି। କରୋନା ମହାମାରୀକୁ ନେଇ ଏବେ ଚୀନ୍‌-ଆମେରିକା ସମ୍ପର୍କ ଅତି ତିକ୍ତ ପର୍ଯ୍ୟାୟରେ ରହିଛି ଏବଂ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଚୀନ୍‌ର ଏକାଚାଟିଆ ସ୍ବାର୍ଥସର୍ବସ୍ବ ବାଣିଜ୍ୟ ନୀତିରେ ଅତି‌ଷ୍ଠ ହୋଇପଡ଼ିଛନ୍ତି। ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ବିଗତ କିଛି ବର୍ଷ ମଧ୍ୟରେ ଘନିଷ୍ଠ ହୋଇଥିବାରୁ ଚୀନ୍‌ ଏହାକୁ ଆଦୌ ସହ୍ୟ କରିପାରୁନି ଏବଂ ଭାରତକୁ ଧମକାଇବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର ଜାରି ରଖିଛି। ପୂର୍ବ ଲଦାଖ୍‌ରେ ଭାରତୀୟ ସେନା ଉପରେ ଆକ୍ରମଣ ଚୀନ୍‌ ସରକାରଙ୍କ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କୁହାଯାଉଛି । ୧୯୬୭ ପରେ ଏଭଳି ବଡ଼ ସାମରିକ ହିଂସା ସୃଷ୍ଟି କରି ଚୀନ୍‌ ଆମେରିକାକୁ ମଧ୍ୟ କଡ଼ା ବାର୍ତ୍ତା ଦେବାକୁ ଚାହୁଛି। ଦକ୍ଷିଣ ଚୀନ୍‌ ସାଗରରେ ଆମେରିକାର ଉପସ୍ଥିତିକୁ ତୀବ୍ର ବିରୋଧ କରୁଥିବା ଚୀନ୍‌ ଏବେ ଭାରତ ଉପରେ ଚାପ ସୃଷ୍ଟି କରି ଭାରତକୁ ଏହି ମାମଲାରେ ନିରବ ରହିବାକୁ ବାଧ୍ୟ କରିବାକୁ ଚାହୁଛି। ଚୀନ୍‌ କରୋନା ସତ୍ତ୍ବେ ନିଜର ସାମରିକ ବଜେଟ୍‌ ବଢ଼ାଇ ୧୮୦ ବିଲିୟନ ଡଲାରରେ ପହଞ୍ଚାଇଛି ଏବଂ ଆମେରିକା ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇଛି। ଚୀନ୍‌ର ନୌସେନା ଶକ୍ତି ଏବେ ଆମେରିକାକୁ ଟପି ଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମହାଶକ୍ତି ଚୀନ୍‌ ଏବେ ନିଜ ସାମରିକ ଶକ୍ତିର ପରିଚୟ ପୂରା ବିଶ୍ବକୁ ଦେବାକୁ ଚାହୁଛି। ନିକଟରେ ଗଲ୍‌ୱାନରେ ହୋଇଥିବା ସଂଘର୍ଷରେ କେବଳ ଛଡ଼ ଓ ପଥର ବ୍ୟବହାର ହୋଇଥିଲା। ଚୀନ୍‌ ନିଜର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଦ୍ବାରା ମଧ୍ୟ ଏବେ ଲଢ଼େଇ ପାଇଁ ଯୋଜନା କରୁଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ଏବେ ତତ୍କାଳ ତାଇୱାନକୁ ଯୁଦ୍ଧ ବିମାନ ଓ ଅନ୍ୟ ଯୁଦ୍ଧାସ୍ତ୍ର ବିକ୍ରି କରିବାକୁ ଚାହୁଁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ