ବ୍ୟକ୍ତିଗତ ଜମିରେ ଥିବା ଦୋକାନକୁ ଭାଙ୍ଗିବା ପାଇଁ ତହସିଲଦାରଙ୍କ ନିର୍ଦେଶ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଗୁଲନଗର ମୈାଜାର ପ୍ରଶାନ୍ତ ସାହୁଙ୍କ ଖାତା ନମ୍ବର ୧୫୩ ଓ ପ୍ଲଟ ନମ୍ବର ୧୭୨ ଏରିଆ ଏ ୦.୦୯୦ଡେସିମିଲ ଜମି ଉପରେ ଗୁଲନଗର ଗ୍ରାମର ମାଗୁଣି ଚରଣ ବେହେରା ,ପିତା – ସୂର୍ଗତ ଭଗବାନ ବେହେରା ଦୀର୍ଘ ୨୫ବର୍ଷ ଧରି ଏକ କ୍ୟାବିନ ପକାଇ ପାନଦୋକାନ ଟିଏ କରି ନିଜ ପରିବାରର ଗୁଜୁରାଣ ମେଂଟାଉଥିଲେ । ଦୁର୍ଭାଗ୍ୟ ବସତଃ ଆକସ୍ମିକ ଅଗ୍ନିକାଣ୍ଡରେ ଦୋକାନଟି ପୋଡିଯିବାରେ ଜମି ମାଲିକଙ୍କ ସହମତିରେ ତାଙ୍କ ଜମି ଉପରେ ଏକ ପାଂଚ ଇଁଚିଆ ଇଟାକାନ୍ଥ କରିବା ସମୟରେ ପୂର୍ବରୁ କୈାଣସି ନୋଟିସ ନଦେଇ ହଠାତ କେନ୍ଦ୍ରାପଡା ତହସିଲଦାର ସେଠାରେ ପହଁଚି ସେହି କାନ୍ଥକୁ ଭାଙ୍ଗିଦେବାକୁ ନିର୍ଦେଶ ଦେଲେ । ପରନ୍ତୁ ଜମି ମାଲିକ ଗତ ୨୦୧୫ମସିହାରୁ ସେହି ଜମିର ସୀମା ନିର୍ଦ୍ଧାରଣ ନିମନ୍ତେ ମିସକେଶ ନମ୍ବର -୮୫/୨୦୧୫ ତା ୧୮.୦୧.୨୦୧୫ରିଖରେ ଆବେଦନ କରି ଫିସ ଦାଖଲ କରିଥିଲେବି ଅଦ୍ୟାବଧି ସେହି ଜମିର ସୀମା ନିର୍ଦ୍ଧାରଣ କରାଯାଇ ନାହିଁ । ପାନଦୋକାନୀ ମାଗୁଣି ଜଣେ ଅତ୍ୟନ୍ତ ଗରୀବ,ଦରିଦ୍ର ଶ୍ରେଣୀର ଏବଂ ଜଣେ ରୋଗଗ୍ରସ୍ତ ବ୍ୟକ୍ତି । ସେ ଏହି ଦୋକାନକରି ପରିବାର ଭରଣପୋଷଣ କରୁଥିବା ବେଳେ ତାଙ୍କ ଦୋକାନକୁ ଏଭଳି ବେଆଇନ ଭାବରେ ବନ୍ଦ କରାଯିବା ପାଇଁ ତହସିଲଦାରଙ୍କ ନିର୍ଦେଶ ବିରୋଧରେ ଅଭିଯୋଗକାରୀ ଶ୍ରୀ ବେହେରା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଘଟଣାର ବିଧିବଦ୍ଧ ତଦନ୍ତ ପୂର୍ବକ ସେହି ଜମିର ସୀମା ନିର୍ଦ୍ଧାରଣ କରାଯାଇ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିବେଦନ କରିଛନ୍ତି । ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତହସିଲଦାରଙ୍କ ଠାରୁ ତୁରନ୍ତ ଏକ ରିପୋର୍ଟ ତଲବ କରିଥିବା ଜଣାପଡିଛି ।


