ରାସ୍ତା କାମ ନିମ୍ନମାନର ଅଭିଯୋଗ

ନାଉଗାଁ,(ଓ୍ବାଇଏନ୍ଏସ୍) : ରୋହିଆ ପଂଚାୟତ ଅନ୍ତର୍ଗତ ଅରଖକୁଦ ଗ୍ରାମରେ ରାସ୍ତା କାମ ନିମ୍ନମାନର ହୋଇଥିବା ଜିଲ୍ଲାପାଳଙ୍କୁ ସୋମବାର ଅଭିଯୋଗ ହୋଇଛି । ଏପିରି କି ଉକ୍ତ ପଂଚାୟତ ଦ୍ୱାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କାର୍ଯ୍ୟାସ୍ଥଳକୁ ନଯାଇ ବ୍ଲକରେ ବସି କାର୍ଯ୍ୟ ଶେଷ କରୁଥିବା ଅଭିଯୋଗରେ ଦର୍ଶାଯାଇଛି । ସୂଚନା ମୁତାବକ ଉକ୍ତ ଗ୍ରାମର ରଘୁ ନାୟକ ଘର ପାଖ ରାସ୍ତାରେ ବର୍ଷା ପାଣି ଜମି ରହିବା ହେତୁ କାଦୁଅ ହେଉଥିଲା । ଫଳରେ ଗ୍ରାମବାସୀଙ୍କ ଅନୁରୋଧକ୍ରମେ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନାରେ ରଘୁ ନାୟକ ଘର ଠାରୁ ପ୍ରଭାସ ମହାନ୍ତି ଘର ପର୍ଯ୍ୟନ୍ତ ରାସ୍ତା ମରାମତି କରିବା ପାଇଁ ପ୍ରକଳ୍ପ ମଂଜୁର କରାଯାଇ କାର୍ଯ୍ୟ ଗତ ମାର୍ଚ୍ଚ ମାସରେ ହୋଇଥିଲା । କାମ ଚାଲୁଥିବା ସମୟରେ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ କର୍ଯ୍ୟସ୍ଥଳ ବୁଲି ପଳାଇ ଯାଇଥିଲେ । ଯାହାର ସୁଯୋଗ ନେଇ ଦାୟିତ୍ୱରେ ଥିବା ଠିକାଦାର କାର୍ଯ୍ୟକୁ ନିମ୍ନମାନର କରିଥିଲେ । ଫଳରେ ଉକ୍ତ ସ୍ଥାନରେ ପୂର୍ଣ୍ଣବାର ପାଣି ଜମିବା ହେତୁ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଭେଟି ଅବଗତ କରାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନଥିଲେ ବୋଲି ଅଭିଯୋଗରେ ଦର୍ଶାଇଯାଇଛି । ଏପରିକି ଏହି କାର୍ଯ୍ୟ ପରେ ଉକ୍ତ ଗ୍ରାମରେ ଆଉ ଦୁଇଟି ଢଳେଇ କାର୍ଯ୍ୟ ସହିତ ମାଟି କାମ ସରିଥିଲେ ମଧ୍ୟ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟସ୍ଥଳକୁ ଯାଇ ନଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ଉକ୍ତ ଅଭିଯୋଗ ପତ୍ରକୁ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ଓ ନାଉଗାଁ ବିଡିଓଙ୍କ ନିକଟକୁ ପଠାଯାଇଥିବା ଦର୍ଶାଯାଇଛି । ଅଭିଯୋଗକାରୀ ଭାବେ ନିବାରଣ ନାୟକ, ଆଶିଷ କୁମାର ନାୟକ, ପ୍ରକାଶ ନାୟକ, ପ୍ରମୋଦ ନାୟକ ଆଦି ରହିଛନ୍ତି । ଏ ସଂର୍ପକରେ ସଂପୃକ୍ତ ପଂଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ରାଉତଙ୍କୁ ପଚାରିବାରୁ ରାସ୍ତା କାମ ନିମ୍ନମାନର ହୋଇନାହିଁ । ରାସ୍ତା ପାଶ୍ୱର୍ରେ ମାଟି ଗଦା ହୋଇ ରହିଥିବାରୁ ପାଣି ନିଷ୍କାସନ ହୋଇପାରୁନାହିଁ । ଯଦି ସେମାନେ ମାଟିକୁ ଆଡେଇ ଦେଇ ନାଳ କରି ଦେବେ ତେବେ ରାସ୍ତାରୁ ପାଣି ନିଷ୍କାସନ ହୋଇପାରିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ