ପୁନ୍ଦାଳ କେନାଲ ଉପରେ ମକନ୍ଦର ଠାରେ ଜବରଦଖଲ କରାଯାଇ ସ୍ଥାୟୀ ଗୃହ ନିର୍ମାଣ ଅଭିଯୋଗ

କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଗରଦପୁର ବ୍ଲକ ଅନ୍ତର୍ଗତ ପୁନ୍ଦାଳ କେନାଲର ମକନ୍ଦର ନିକଟରୁ ନଦୀବନ୍ଧ ଗଡା କେନାଲ ପୋଲ ତଳକୁ ଅରଖକୁଦ ଗ୍ରାମର କୃଷ୍ଣଚନ୍ଦ୍ର ଦଳାଇଙ୍କ ପୁଅ ନିରୋଜ କୁମାର ଦଳାଇ ୬ଟି କଂକ୍ରୀଟ ଖୁଂଟ ନିର୍ମାଣ ସହିତ ସ୍ଲାବପକାଇ କେନାଲପାଣି ଯିବାଆସିବା ପଥକୁ ଅବରୋଧ କରି ଏକ ଛାତପକା ଗୃହ ନିର୍ମାଣ କରୁଥିବା ମଧୁଶାସନ ଗ୍ରାମର କୃଷକ,ବୁଦ୍ଧିଜୀବି ଓ ସଚେତନ ନାଗରିକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଏସମ୍ପର୍କରେ ନରେନ୍ଦ୍ରପୁରସ୍ଥିତ ଜଳସେଚନ ସବଡିଭିଜନର ସହକାରୀ ଯନ୍ତ୍ରୀଙ୍କୁ ଅଭିଯୋଗ କରାଯିବାରେ ସେହି ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । କିନ୍ତୁ କେତେକ ତଳସ୍ତରର ବିଭାଗୀୟ କର୍ମଚାରୀ ଓ ସ୍ଥାନୀୟ କୁଜିନେତାଙ୍କୁ ମୋଟା ଅଙ୍କରେ ଅର୍ଥ ଦେଇ ଶ୍ରୀ ଦଳାଇ ପୁନର୍ବାର ବେଆଇନ ଭାବେ ସେହି ନିର୍ମାଣ କାର୍ଯ୍ୟ ରାତିରେ କରୁଥିବା ଅଭିଯୋଗ ହୋଇଛି । ସେହି ନିର୍ମାଣ କାର୍ଯ୍ୟ କରାଗଲେ ଚାଷଜମିକୁ ଜଳସେଚନରେ ଗୁରୁତ୍ତର ବାଧା ସୃଷ୍ଟି ହେବା ସହ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବେ । ଏତଦବ୍ୟତିତ ସେହି କେନାଲବନ୍ଧ ମୁଖ୍ୟରାସ୍ତାରେ ଗମନାଗମନରେ ମଧ୍ୟ ଅଚଳାବସ୍ଥା ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେଣୁ ଅଭିଯୋଗର ବିଧିବଦ୍ଧ ତଦନ୍ତ ପୂର୍ବକ ପୁନ୍ଦାଳ କେନାଲ ଉପରେ ବେଆଇନ ଭାବେ ନିର୍ମାଣ କରାଯାଉଥିବା ପକ୍କାଗୃହର ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଗୋପିନାଥ ତ୍ରିପାଠୀ, ଅନିଲ କୁମାର ତ୍ରିପାଠୀ, ଗୋରାଙ୍ଗ ଦାସ, ବ୍ରହ୍ମାନନ୍ଦ ତ୍ରପାଠୀ, ପ୍ରମୋଦ କୁମାର ତ୍ରିପାଠୀ, ଟୁକୁନା ବେହେରା, ନଟବର ରାଉତ, ଦିଲ୍ଲିପ ଦାସ, ବିନୟ ଦଳାଇ, ଅଭୟ ସେଠୀ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଏଥିସହିତ ଗ୍ରାମବାସୀମାନେ ଜଗତପୁରସ୍ଥିତ ମହାନଦୀ ନର୍ଥ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ମଧ୍ୟ ଏସମ୍ପର୍କରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି । ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ସଂପୃକ୍ତ ବିଭାଗ ଓ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ