ବେଲଗୁଣ୍ଠା କରୋନା ସ୍ଥିତି ପରଖିଲେ ଜିଲ୍ଲାପାଳ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।ପୁଣି ସ୍ଥାନୀୟ ଲୋକଙ୍କଠାରେ କରୋନା ଚିହ୍ନଟ ହେବା ପ୍ରଶାସନ ତଥା ଜନସାଧାରଣଙ୍କ ଚିନ୍ତାର ବିଷୟ ପାଲଟିଛି ।କରୋନାର ସଫଳ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ସମଗ୍ର ଜିଲ୍ଲା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି ।ଜିଲ୍ଲାପାଳ ଘନ ଘନ ଜିଲ୍ଲାର ପ୍ରତି ବ୍ଳକକୁ ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରୁଛନ୍ତି ।ଆଜି ଜିଲ୍ଲାପାଳ ବେଲଗୁଣ୍ଠା ବ୍ଳକ ଗସ୍ତ କରି ବ୍ଲକ କାର୍ଯ୍ୟାଳୟରେ ବେଲଗୁଣ୍ଠାବ୍ଳକ ଅନ୍ତର୍ଗତ ୧୮ଟି ପଞ୍ଚାୟତ ସରପଞ୍ଚ ମାନଙ୍କୁ ସହ ଏକ ସମୀକ୍ଷା ବୈଠକ କରି କରୋନାର ବୃଦ୍ଧି ହାର କମାଇବା ଦିଗରେ ମନ୍ତ୍ର ଦେଇଛନ୍ତି ।ତା ସହ ପ୍ରତି ୱାର୍ଡରେ କୋଭିଡ ମନିଟର ଟିମ୍ ଗଠନ କରି ସେହି ୱାର୍ଡରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ସରପଞ୍ଚଙ୍କୁ ଜଣାଇବା,ଅମାନିଆଙ୍କ ପ୍ରତି ଦୃଷ୍ଟି ଦେବା, ପ୍ରତି ଗ୍ରାମ ପଞ୍ଚାୟତରେ ସାମାଜିକ ଦୁରତ୍ୱକୁ ରକ୍ଷା କରିବା, ମାସ୍କ ପିନ୍ଧିବା,ଅଯଥା ବାହାରେ ବୁଲାବୁଲି ନ କରିବା,ଗ୍ରାମବାସୀମାନେ ପୋଖରୀରେ ନ ଗାଧୋଇବା,ପ୍ରବାସୀଙ୍କ ସଠିକ ତଥ୍ୟ ରଖିବା, ଅନୁମତି ମିଳିଥିବା ଦୋକାନୀ ମାନେ ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଇ ବ୍ୟବସାୟ କରିବା, ଦୋକାନୀମାନେ ଆସୁଥିବା ଗ୍ରାହକଙ୍କ ତଥ୍ୟ ତାଲିକା ରଖିବା ସହ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସଠିକ କଣ୍ଟାକ୍ଟ ଟ୍ରେସିଂ କରିବା ନେଇ ଗୁରୁତ୍ୱ ଦେବା ପାଇଁ କହିଥିଲେ ।ଏ ବିଷୟରେ ପ୍ରତି ପଞ୍ଚାୟତ ବାସୀନ୍ଦାଙ୍କୁ ଆହୁରି ସଚେତନ କରାଇବା ପାଇଁ ସରପଞ୍ଚ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଯଦି କେଉଁଠି ଜୁଆ ଆଡ୍ଡା ଏବଂ ଚୋରି ମଦ କାରବାର ଚାଲୁଛି ସେ ବିଷୟରେ ସ୍ଥାନୀୟ ପୋଲିସକୁ ଖବର ଦେବା ପାଇଁ କହିଥିଲେ । ବିବାହ କିମ୍ବା ଅନ୍ୟ କୌଣସି ସାମାଜିକ କାର୍ଯ୍ୟ ଆୟୋଜନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ ଏବଂ ଜନ ପ୍ରତିନିଧି ମାନେ ଏ ନେଇ କଡା ନଜର ରଖିବେ ।ଏଇ ଜୁଲାଇ ମାସ ଆମ ଗଞ୍ଜାମ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ସଠିକ ପରିଚାଳନା ସହ କରୋନା ମୁକାବିଲା କରିବା ବୋଲି ଜିଲ୍ଲାପାଳ ପରାମର୍ଶ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ଏହି ବୈଠକରେ ବେଲଗୁଣ୍ଠା ବ୍ଳକର ସମସ୍ତ ସରପଞ୍ଚଙ୍କ ସହ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ,ତହସିଲଦାର ସରୋଜ କୁମାର ବେହେରା,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର,ଅତିରିକ୍ତ ତହସିଲଦାର ତଥା ନୀର୍ବାହୀ ଅଧିକାରୀ ଧରଣୀଧର ବେହେରା, ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଓ ବ୍ଳକର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ