କରୋନାକୁ ପ୍ରତିହତ ପାଇଁ ଆର.ଉଦୟଗିରି ହାଟ ବନ୍ଦ ନିଷ୍ପତ୍ତି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର.ଉଦୟଗିରି ଠାରେ ପ୍ରତି ସପ୍ତାହର ସୋମବାର ଦିନ ବସୁ ଥିବା ହାଟକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି । ଗଜପତି ଜିଲ୍ଲାରେ କରୋନା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ସଞ୍ଜୁକ୍ତା ପୁଜାରୀ ପଞ୍ଚାୟତ ଜରୁରୀ ବୈଠକରେ ହାଟକୁ ନିଷିଦ୍ଧ କରିଛନ୍ତି । ହାଟ ବନ୍ଦ ନେଇ ଲୋକଙ୍କୁ ଆବଶ୍ୟକ ସୁଚନା ଦିଆଯିବ ବୋଲି ମଧ୍ୟ ସରପ ସଞ୍ଜୁକ୍ତା ପୁଜାରୀ ସୁଚନା ଦେଇ କହିଛନ୍ତି,ହାଟ ବସିବା ଦ୍ୱାରା ସେଠାରେ ଉଭୟ ଗ୍ରାହକ ଓ ବ୍ୟବସାୟୀମାନେ ସାମଜିକ ଦୁରତାକୁ ଆଦୌ ମାନୁ ନାହାଁନ୍ତି । ଅନ୍ୟ ପକ୍ଷରେ ସକାଳ ୭ରୁ ୨ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ହାଟ ନ ବସିଲେ ମଧ୍ୟ ଲୋକମାନେ ସ୍ଥାନିୟ ଅଞ୍ଚଳରୁ ସମସ୍ତ ଜିନିଷ କିଣି ପାରିବେ । ତହସିଲଦାର ସ୍ମୃତି ରଞ୍ଜନ ସତପଥୀ ଏ ନେଇ କହିଛନ୍ତି ଯେ, କରୋନାର ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଧିକ ଲୋକ ଗୋଟାଏ ଜାଗାରେ ଏକତ୍ରୀତ ହେଉଥିବା ହାଟ ବନ୍ଦ କରିବା ଦ୍ୱାରା ଏହି ସଂକ୍ରମଣ କିଛି ମାତ୍ରାରେ ନିୟନ୍ତ୍ରଣ କରି ହେବ । ଏଥି ପୁର୍ବରୁ ମଧ୍ୟ ଛେଳିଗଡ,ରାମଗିରି,ନାରାୟଣପୁର ଆଦି ସାପ୍ତାହିକ ହାଟକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇ ହାଟ ବନ୍ଦ କରାଯାଇଛି ।


