କ୍ଷମା ମାଗିଲେ ହୋଟେଲ ମେଫେୟାର ଗ୍ର୍ରୁପ ଅଧ୍ୟକ୍ଷ ଦିଲ୍ଲୀପ ରାୟ
ବ୍ରହ୍ମପୁର, (ରାଜେଶ ପଟ୍ଟନାୟକ): ଗୋପାଳପୁରର ମେଫେୟାର ହୋଟେଲରେ ଏକ ବିବାହ କାର୍ଯ୍ୟରେ କରୋନା ନିର୍ଦ୍ଦେଶାବଳୀ ଉଲ୍ଲଙ୍ଘନ ମାମଲାରେ ଗଞ୍ଜାମ ଜିଲା ପ୍ରଶାସନର ୫୦ ହଜାର ଜୋରିମାନା ସହ ହୋଟେଲ ସାତ ଦିନ ପାଇଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହାକୁ ସ୍ବାଗତ କରିଛନ୍ତି ମେ ଫେୟାର ଗ୍ରୁପ ଅଧ୍ୟକ୍ଷ ଦିଲୀପ ରାୟ। ନିଜ ଫେସବୁକ୍ ଆକାଉଣ୍ଟରେ ସେ ଏ ସମ୍ପର୍କରେ ଉଲ୍ଲେଖ କରି ଘଟିଥିବା ଘଟଣା ପାଇଁ ବ୍ୟକ୍ତିଗତ ଭାବରେ କ୍ଷମା ମାଗିଛନ୍ତି । କହିଛନ୍ତି, ‘ଜୁଲାଇ ୨ରେ ଗୋପାଳପୁର ମେ ଫେୟାରରେ ଏକ ବିବାହ ଭୋଜିରେ କରୋନା ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହା ହେବା ଉଚିତ୍ ନୁହେଁ। ନିର୍ଦ୍ଦେଶାବଳୀ ଉଲ୍ଲଂଘନ ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କରୁଛି ଓ ମୁଁ ବ୍ୟକ୍ତିଗତ ଭାବେ ଏହା ପାଇଁ କ୍ଷମା ପ୍ରାର୍ଥନା କରୁଛି।ଦିଲ୍ଲୀପ କହିଛନ୍ତି, ସାମାଜିକ ଦୂରତା ଭଳି ସତର୍କତାମୂଳକ ପଦକ୍ଷେପ ହେଉଛି ଏହି ମହାମାରୀର ମୁକାବିଲା ପାଇଁ ଏକମାତ୍ର ଶକ୍ତିଶାଳୀ ଅସ୍ତ୍ର ଏବଂ ଏଥିରେ କୌଣସି ଆପୋଷ ବୁଝାମଣା ହୋଇପାରିବ ନାହିଁ। ସେ ନିଜେ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଚ୍ୟାନେଲ ମାଧ୍ୟମରେ ଏହି ପ୍ରସଙ୍ଗକୁ ବାରମ୍ବାର ଗୁରୁତ୍ୱ ଦେଉଥିବା କହିଛନ୍ତି। ସେ କହିଛନ୍ତି ଯେ ହୋଟେଲ ପରିଚାଳନା ପାଇଁ ନିରାପତ୍ତା ଏବଂ ସ୍ୱଚ୍ଛତା ଉପରେ ପ୍ରାଥମିକତା ଦିଆଯିବ ସହ ଏକ ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି। ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ମ୍ୟାନେଜମେଣ୍ଟକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।ଏହା ସହ ହୋଟେଲର ମ୍ୟାନେଜରଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।


