ଜେଲ ଅନ୍ତେବାସୀଙ୍କୁ ଘାରିଛି କରୋନା ଭୟ, ପୁଣି ଦୁଇ ପଜିଟିଭ ଚିହ୍ନଟ
ବ୍ରହ୍ମପୁର, (ଅନିଲ କୁମାର): ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ସବୁଠାରୁ ବଡ଼ ଜେଲ କହିଲେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ବୁଝାଏ । ଏହି ଜେଲରେ ଆବଶ୍ୟକତା ଠାରୁ ଅଧିକ ଅନ୍ତେବାସୀ ରହୁଥିବା ବେଳେ ଗୋଟିଏ ଗୋଟିଏ ସେଲ୍ରେ ପ୍ରାୟ ୫୦ ରୁ ୬୦ ଅନ୍ତେବାସୀ ରହୁଛନ୍ତି । ଏହି ସମୟରେ ବହୁ ନୂଆ କଏଦୀ ମାନେ ଜେଲ୍କୁ ଆସୁଛନ୍ତି । ବ୍ରହ୍ମପୁର ଜେଲ୍ରେ ଆଜି ପୁଣି ଦୁଇ ଜଣ କଏଦୀ ପଜିଟିଭ ବାହାରିଛନ୍ତି । ସେଥିରୁ ଆଡ଼ପଡ଼ାରୁ ଘରୋଇ ହିଂସାକାଣ୍ଡ ମାମଲାରେ ଆସିଥିବା ବେଳେ ଅନ୍ୟ ଜଣେ ବ୍ରହ୍ମପୁର ସହର ଚଳିତ ମାସ ୧ ତାରିଖରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଜେଲରେ ୧୫ ଜଣ କରୋନା ପଜିଟିଭ ବାହାରିବା ପରେ ଜେଲ ଭିତରେ ଥିବା ଅନ୍ୟ ଅନ୍ତେବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ଏଥି ପ୍ରତି ପୂର୍ଣ୍ଣ ସଜାଗ ଥିବା ବ୍ରହ୍ମପୁର ଜେଲର କହିଥିବା ବେଳେ ନୂଆ ଅନ୍ତେବାସୀଙ୍କ ପାଇଁ ଏକ ଅଲଗା କୋଠରୀର ବନ୍ଦୋବସ୍ତ କରାଯିବା ସହ ସେମାନଙ୍କର ଯଦି କରୋନା ଲକ୍ଷଣ ଥାଉଚି ତେବେ ତୁରନ୍ତ ସ୍ୱାବ ପରୀକ୍ଷା କରାଯାଉଥିବା ଜେଲର ପ୍ରକାଶ କରିଛନ୍ତି । ତେବେ ଏଠାରେ ଆବଶ୍ୟକତା ଠାରୁ ଅଧିକ କଏଦୀ ବା ଅନ୍ତେବାସୀ ରହୁଥିବା ଯୋଗୁଁ ଏଠାରେ ଗୋଟିଏ କଏଦୀ ଠାରୁ ଗୋଷ୍ଠୀ ସଂକ୍ରମଣ ହେବା ଭଳି ସମସ୍ୟା ମଧ୍ୟ ଉପୁଜି ପାରେ ତେଣୁ ଏଥି ପ୍ରତି ପ୍ରଶାସନ ଅଧିକ ସଚେତନ ହେବା ସହିତ ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ଅଛି ।


