ଭକ୍ତ ପାଇଲେ ନୀଳାଚଳ ଅବଢ଼ା
ପୁରୀ, (ଓ୍ବାଇଏନ୍ଏସ୍):ଦୀର୍ଘ ୧୨ ଦିନ ପରେ ଶ୍ରୀମନ୍ଦିରରୁ ନୀଳାଚଳ ଅଭଡ଼ା ବା ନୀଳାଦ୍ରି ଅବଢ଼ା ପାଇଛନ୍ତି ଭକ୍ତ । ବିଶ୍ୱାସ ରହିଛି ଏହି ଅବଢ଼ା ସେବନ ଓ ବ୍ରାହ୍ମଣ ଭୋଜନ ଦେଲେ ମହାପୂର୍ଣ୍ଣ୍ୟ ଲାଭ ହୋଇଥାଏ । ଗତକାଲି ଚତୁର୍ଦ୍ଧାମୂର୍ତି ରତ୍ନ ସିଂହାସନରେ ବିଜେ କରି ବଡ଼ସିଂହାର ବେଶ ଓ ବଡ଼ ସିଂହାର ଭୋଗ ସମାପନ ହୋଇଥିଲା । ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ ଲିପା ପୋଛା ହୋଇ ରହିଥିବା ରୋଷଘର ଚୁଲାରେ ମହାପ୍ରସାଦ ରନ୍ଧନ କରାଯାଇଥିଲା । ବିଶ୍ୱାସ ରହିଛି, ମା ମହାଲକ୍ଷ୍ମୀ ଗତକାଲି ବିବାହ ଗଇଁଠାଳ ଫିଟାଯିବା ପରେ ପ୍ରଭୁଙ୍କ ପାଇଁ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଏହି ଅବଢ଼ାର ଏକ ସ୍ୱତନ୍ତ୍ର ବାସ୍ନା ଓ ମହତ୍ୱ ରହିଛି । ଚଳିତ ବର୍ଷ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତ କରୋନା କଟକଣା ଯୋଗୁଁ ପ୍ରବେଶ ବାରଣ କରାଯାଇଛି । ଆନନ୍ଦବଜାରକୁ ଭକ୍ତ ମାନେ ଯାଇପାରୁନାହାଁନ୍ତି । ସୁଆର ମହାସୁଆର ନିଯୋଗ ପକ୍ଷରୁ ଆନନ୍ଦବଜାରରୁ ବୋଝିଆଙ୍କ ଦ୍ୱାରା ମହାପ୍ରସାଦ ବୁହାଯାଇ ଉତର ଦ୍ୱାର ନିକଟ ଖୋଲା ସ୍ଥାନରେ ଅସ୍ଥାୟୀ ଭାବେ ବିକ୍ରୟ କରାଯାଉଛି । ସାମାଜିକ ଦୂରତା ରକ୍ଷା କରି ଭକ୍ତ ମାନେ ନିଳାଦ୍ରୀ ଅବଢ଼ା କିଣି ନେଉଥିବା ଦେଖିବାକୁ ମିଳିଛି । ଏଥିସହ ନିଯୋଗ ଜରିଆରେ ପୂର୍ବରୁ ଅବଢ଼ା ଅର୍ଡ଼ର କରିଥିବା ଭକ୍ତ ମାନଙ୍କୁ ଟୋକନ୍ ଯୋଗେ ମହାପ୍ରସାଦ ଉପଲବ୍ଧ ହୋଇଛି । ଏହି ମହାପ୍ରସାଦ ସେବନ କରି ଶ୍ରୀକ୍ଷେତ୍ର ବାସୀଙ୍କ ସମେତ ସମସ୍ତ ଭକ୍ତ ଆନନ୍ଦିତ ହୋଇଛନ୍ତି ।


