କୋଭିଡ଼ ଆସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନାପାଇଁ ୨୦ ଜଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ବ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ ଦେଖାଯାଉଥିବା କରୋନା ସଂକ୍ରମଣକୁ ରୋକିବା ଦିଗରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାରକୁ କଡାକଡି କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଜିଲ୍ଲାପ୍ରଶାସନ ଅହରହ ପ୍ରୟାସ ଜାରି ରଖିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ରାଜ୍ୟ ସରକାରଙ୍କ ଦ୍ବାରା ନିୟୋଜିତ ଦୁଇ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ୬ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଜଣାଇଥିଲେଯେ, ତଳ ସ୍ତରରେ ଦେଖାଯାଉଥିବା କୋଭିଡ୍ ପରିଚାଳନାଗତ ସମସ୍ୟା ଗୁଡିକୁ ଜିଲ୍ଲାପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ ତେବେ ସମସ୍ୟା ଗୁଡିକ ସମାଧାନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସମସ୍ୟା ଗୁଡିକ ଯାଂଚ୍ କରି ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ଓ ଲୋକଙ୍କ ଜୀବନ ଜୀବିକାର କୌଣସି ସମସ୍ୟା ରହିବ ନାହିଁ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟଜନିତ ତଥ୍ୟ ସଂଗ୍ରହ କରାଯାଉ । ଜଣେ ଯେମିତି ସ୍ବାସ୍ଥ୍ୟ ପରୀକ୍ଷା ରୁ ବାଦ୍ ପଡିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । କରୋନା ଲକ୍ଷଣମାନ ଦେଖାଦେଲେ ତୁରନ୍ତ ସ୍ବାବ୍ ସଂଗ୍ରହ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ରେ ରଖାଯାଇ ତାଙ୍କ ପ୍ରତି ନଜର ରଖାଯାଉ । ଯଦି ସଂପୃକ୍ତ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୁଏ ତେବେ ତୁରନ୍ତ କୋଭିଡ୍ କେୟାର୍ ହୋମ୍ କୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉ । କୋଭିଡ୍ କେୟାର ହୋମ୍ ଏବଂ କ୍ଲଷ୍ଟର୍ ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକର ପରିଚାଳନାକୁ ଅଧିକ ସୁଦୃଢ କରିବା ନେଇ ଜିଲ୍ଲାପାଳ ୨୦ ଜଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ବ ପ୍ରଦାନ କରିଛନ୍ତି । ଏହି ନୋଡାଲ୍ ଅଧିକାରୀ ଗଣ ଜିଲ୍ଲାର ସମସ୍ତ ବ୍ଳକ୍, ବିଜ୍ଞାପିତ ଅଞ୍ଚଳ ଓ ସହରାଞ୍ଚଳ ଗୁଡିକରେ ରହିଥିବା କୋଭିଡ୍ କେୟାର ହୋମ୍ ଏବଂ କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ପରିଦର୍ଶନ ପୂର୍ବକ ସେଗୁଡିକର ପରିଚାଳନା ଓ ଖାଦ୍ୟପେୟ ବ୍ୟବସ୍ଥା ଉପରେ ନଜର ରଖିବେ । ଠିକ୍ ସମୟରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ସମସ୍ତ ସୁବିଧା ମିଳୁଛି ନା ନାହିଁ ସେଥିପ୍ରତି ତୀକ୍ଷ୍ଣ ନଜର ରଖିବେ । କୋଭିଡ୍ ପରିଚାଳନାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଗଣ ଗୋଟିଏ ସପ୍ତାହ କାର୍ଯ୍ୟ କରିବା ପରେ ସେମାନଙ୍କୁ ସପ୍ତାହ କାଳ ବିଶ୍ରାମ ନେବା ସକାଶେ ଅନୁମତି ଦିଆଯିବ । ପୁଣି ସପ୍ତାହ ପର୍ଯ୍ୟନ୍ତ ନିଜ କାର୍ଯ୍ୟରେ ନିୟୋଜିତ ହେବେ ।
ଯେଉଁ ମାନଙ୍କଠାରେ ଥଣ୍ଡା, କାଶ, ଜ୍ବରହେଉଥିଲେ ସେମାନେ ନିଜ ଦେହରେ ସେସବୁ ଲକ୍ଷଣମାନ ନ ଲୁଚାଇ ଡାକ୍ତରଙ୍କ ପରାମର୍ଶ ଘେନି ଔଷଧ ସେବନ କରିବାକୁ ଜିଲ୍ଲାପାଳ ଜଣାଇଛନ୍ତି । ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ୍ ଖାଇବାକୁ ବାରଣ କରାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ୍ ଖାଇଲେ ନିଜ ଦେହରେ ଜ୍ବର କମିଯିବ କିନ୍ତୁ ଦେହରେ ଥିବା କରୋନା ଭୂତାଣୁ ନାଶ ହେବ ନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ତତକ୍ଷଣାତ୍ ବିରାଟକାୟ ରୂପ ନେବ ଯାହା ଫଳରେ ଜୀବନ ପ୍ରତି ବିପଦ ରହିଛି । ତେଣୁ ଏଥିପ୍ରତି ସତର୍କ ରହିବାକୁ ଜିଲ୍ଲାପାଳ ଜନ ସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଘରୁ କେହି ବାହାରକୁ ଅଯଥାରେ ଯାଆନ୍ତୁ ନାହିଁ । ଯଦି ଅତି ଜରୁରୀ ଅଛି ତେବେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଧୋଇବା ଉପରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ସାମାଜିକ ଦୂରତା ଓ ମାସ୍କ ପିନ୍ଧିନଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ କରିବା ଦିଗରେ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଏକ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ।
ଉକ୍ତ ବୈଠକରେ ବ୍ରହ୍ମପୁର ମହା ନଗର ନିଗମ କମିଶନର୍ ଚକ୍ରବର୍ତ୍ତୀ ସିଂ ରାଠୋର, ଛତ୍ରପୁର ଉପଖଣ୍ଡ ଦାୟିତ୍ବରେ ଥିବା ପାରୁଲ୍ ପଟଓ୍ବାରୀ, ଭଞ୍ଜ ନଗର ଉପଖଣ୍ଡ ଦାୟିତ୍ବରେ ଥିବା ଭିଶାଲ୍ ସିଂ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ , ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଓଡିଶା ସରକାରଙ୍କ ଦ୍ବାରା ନିଯୁକ୍ତି ପାଇଥିବା ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ