କୁଳଭୂଷଣ ସମ୍ପର୍କରେ ପାକିସ୍ତାନର ନୂଆ ଚାଲ
ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ ନେଇ ଏବେ ପାକିସ୍ତାନ ପୁଣି ଏକ ଚାଲ ଚଲାଇଛି । ପାକିସ୍ତାନ କହିଛି କି ତାଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ପୁନର୍ବିଚାର ଆବେଦନ ଦାଖଲ କରିବାକୁ ସେ ରାଜି ନୁହନ୍ତି । ସେ ପୂର୍ବରୁ ଏହି ମାମଲାରେ ରାଜକ୍ଷମା ଆବେଦନ କରିଛନ୍ତି ଏବଂ ଏହାର ପରିଣାମ ଜାଣିବାକୁ ଅପେକ୍ଷା କରିଛନ୍ତି । ଏଥିରୁ ଯାହା ପରିଣାମ ବାହାରିବ, ସେଥିରେ ସେ ସନ୍ତୁଷ୍ଟ ହେବେ ବୋଲି ପ୍ରକାଶ କରିଛନ୍ତି । ପାକ ବିଦେଶ ବିଭାଗ ଦ୍ୱାରା ଏହି ସୂଚନା ଦିଆଯାଇଛି । ପାକିସ୍ତାନ ବିଦେଶ ବିଭାଗର ଅଧିକାରୀ କହିଛନ୍ତି ଯେ ଆନ୍ତର୍ଜାତିକ ଅଦାଲତ ଦ୍ୱାରା ଏହି ମାମଲାର ଦିଆଯାଇଥିବା ନିର୍ଦ୍ଦେଶକୁ ପାକ ସରକାର ଗତ ମେ’ମାସରେ ଲାଗୁ କରିଥିଲେ । କୁଳଭୂଷଣ ଯାଦବଙ୍କୁ ଦିଆଯାଇଥିବା ଦଣ୍ଡାଦେଶର ପୁନର୍ବିଚାରୀ କରିବା ପାଇଁ ଆନ୍ତର୍ଜାତିକ ଅଦାଲତର ନିର୍ଦ୍ଦେଶରେ କୁହାଯାଇଥିଲା । ଏହି ଆଦେଶକୁ କାର୍ଯ୍ୟକାରୀ କରାଯିବା ପରେ ଏକ ନିର୍ଦ୍ଧିଷ୍ଟ ସମୟସୀମା ଭିତରେ କୁଳଭୂଷଣଙ୍କୁ ଇସଲମାବାଦ ହାଇକୋର୍ଟରେ ପୁନର୍ବିଚାରୀ ଆବେଦନ ଦାଖଲ କରିବାକୁ ପଡ଼ିବ । ତଦନୁଯାୟୀ ଜୁନ ୧୭ ରେ ତାଙ୍କୁ ପୁନର୍ବିଚାର ଆବେଦନ ଦାଖଲ କରିବାକୁ କୁହାଯାଇଥିଲା । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ତାଙ୍କ ତରଫରୁ ତାଙ୍କର ଜଣେ ପ୍ରତିନିଧି କିମ୍ବା ଭାରତୀୟ ଦୁତାବାସ ଦ୍ୱାରା ବି ଏପରି ଆବେଦନ କରାଯାଇପାରିବ । ତେଣୁ ନିର୍ଦ୍ଧିଷ୍ଟ ସମୟ ସୀମା ଶେଷ ହେବା ପୂର୍ବରୁ ଏଭଳି ଆବେଦନ ଦାଖଲ କରିବାକୁ ଭାରତୀୟ ଦୁତାବାସକୁ ପତ୍ର ଲେଖାଯାଇଛି ।


