ଛତ୍ରପୁରରେ ଅଭିଯୋଗ ଶୁଣିଲେ ଜିଲ୍ଲାପାଳ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଡିଆରଡ଼ିଏ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ ରହିଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ପ୍ରାରମ୍ଭ କିଛି ଅଭିଯୋଗ ଶୁଣାଣୀ କରି ଏକ ଦୁହେଁ ଜରୁରୀ କାର୍ଯ୍ୟରେ ପଳାଇଥିଲେ । ପରେ ଜିଲ୍ଲପାଳଙ୍କ ଅନୁପସ୍ଥିତିରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ଆଜି ଛତ୍ରପୁର ଉପଖଣ୍ଡ ସମେତ ଜିଲ୍ଲାର ୩୦୮ଟି ଅଭିଯୋଗ ଶୁଣାଣି କରିଛନ୍ତି ।ଏଥିରେ ବ୍ୟକ୍ତିଗତ ୨୩୬ଟି ଥିବା ବେଳେ ସାମୁହିକ ୩୪ଟି ରହିଛି । ୧୮ଟି ଆଶୁ ସମାଧାନ ହୋଇଥିବା ବେଳେ ୨ଜଣଙ୍କୁ ରେଡକ୍ରସ ପାଣ୍ଠି ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲ।। ୧୮ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ ନିମନ୍ତେ ଚୟନ କରାଯାଇଥିଲା । ମୋ କୁଡ଼ିଆ, ପାନୀୟ ଜଳ ଯୋଗାଣ, ରାସନକାର୍ଡ଼, ଶିକ୍ଷା, ବିଜୁ ପକ୍କା ଘର, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ସମେତ ବିଭିନ୍ନ ଘଟଣା ଉପରେ ଜନସାଧାରଣ ଅଭିଯୋଗ କରିଥିଲେ ।ଏହି ଅଭିଯୋଗ ଶୁଣାଣିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗ୍ରିଭାନ୍ସ ଅଧିକାରୀ ତଥା ଆସିଷ୍ଟାଣ୍ଡ କଲେକ୍ଟର ଛବିରାଣୀ ସାହ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷିତ ଦାଶ, ଜିଲ୍ଲା ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ସୁଭ୍ରାଂଶୁ କୁମାର ମହାରଣା, ଡ଼ିପିସି ବିନିତା ସେନାପତିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।


