ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଭୁବନେଶ୍ୱର ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟର ୫ଟି ଫୋକସ୍ ଜିଲ୍ଲାରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । କରୋନାର କଲବଲ ରୂପକୁ ଦେଖି ରାଜ୍ୟ ସରକାର ମଧ୍ୟ ହଡ଼ବଡ଼ ହୋଇଗଲେଣି । ରାଜ୍ୟରେ ଆସନ୍ତାକାଲି ଅର୍ଥାତ ବୁଧବାର ଠାରୁ ପ୍ଲାଜମା ଥେିରାପି ଆରମ୍ଭ କରାଯିବ । ଭୁବନେଶ୍ୱରସ୍ଥ ସମ, କିମ୍ସ ଓ କଟକ ଅଶ୍ୱିନୀ ହସ୍ପିଟାଲରେ ଏହି ପ୍ଲାଜମା ଥେରାପି ଆରମ୍ଭ ହେବ । କଟକ ଏସସିବି ମେଡିକାଲ କଲେଜ ପ୍ଲାଜମା ଥେରାପିର ନୋଡାଲ ସେଣ୍ଟର ହେବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପ୍ଲାଜମା ଥେରାପି ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ କୋଭିଡ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକରେ ୫ଟି ଜିଲ୍ଲାକୁ ଅଧିକ ଫୋକସ କରାଯାଇଛି । ୫ଟି ଫୋକସ ଜିଲ୍ଲାର ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପରାମର୍ଶ ଦିଆଯାଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା । ଏହି ଅବସରରେ ୫ଟି ଜିଲ୍ଲାକୁ ଅଧିକ ପ୍ରବାସୀଙ୍କ ଆଗମନ ଯୋଗୁଁ ପରିସ୍ଥିତି ଆହ୍ୱାନମୂଳକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଅଧିକ ମାନବସମ୍ବଳ ସହ ଭିତ୍ତିଭୂମି ସୁଦୃଢ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।


