ଚୌଦ୍ୱାର ଜେଲ୍‌ରୁ କଏଦୀ ଫେରାର ଘଟଣା : ଅଧୀକ୍ଷକଙ୍କ ଆଗୁଆ ଜାମିନକୁ ପୁଲିସର କଡ଼ା ବିରୋଧ

କଟକ,(ଓ୍ବାଇଏନଏସ) : କଟକ ଚୌଦ୍ବାର ଜେଲ୍‌ରୁ ବିହାରୀ କଏଦୀ ଚମ୍ପଟ ଘଟଣା । ଚୌଦ୍ୱାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଆଗୁଆ ଜାମିନ ଆବେଦନକୁ କଡ଼ା ବିରୋଧ କରିଛି ପୁଲିସ । ଏନେଇ ହାଇକୋର୍ଟରେ ଦାଖଲ ହୋଇଛି ଆପତ୍ତି ପତ୍ର । ଆପତ୍ତି ପତ୍ରରେ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ନାଁରେ ରହିଛି ସଙ୍ଗୀନ ଅଭିଯୋଗ । ତଦନ୍ତକୁ ପ୍ରଭାବିତ କରିବା, ପ୍ରମାଣ ନଷ୍ଟ କରିବା ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ଦର୍ଶାଇ ସୁଜିତ କୁମାର ରାଉଳଙ୍କୁ ଆଗୁଆ ଜାମିନ ନଦେବାକୁ ଅନୁରୋଧ କରାଯାଇଛି ।ହାଇକୋର୍ଟରେ ଦାଖଲ ଆପତ୍ତି ପତ୍ରରେ କୁହାଯାଇଛି, ସିସିଟିଭି ଫୁଟେଜ୍, ଜେଲ ଗେଟ୍ ରେଜିଷ୍ଟର ଏବଂ ଡିଆଇଜି ପ୍ରିଜନ୍ସଙ୍କ ରିପୋର୍ଟରେ ଗୁରୁତର ଅସଙ୍ଗତି ସାମ୍ନାକୁ ଆସିଛି । ଘଟଣା ସମୟରେ ସୁଜିତ ରାଉଳ ନିୟମିତ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ନଥିବା ସତ୍ତ୍ୱେ ରେଜିଷ୍ଟରରେ ତାଙ୍କ ଉପସ୍ଥିତି ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଆହୁରି କହିଛି, ଅଭିଯୁକ୍ତ ଜଣେ ବରିଷ୍ଠ ସରକାରୀ ଅଧିକାରୀ ହୋଇଥିବାରୁ ଜାମିନ ପାଇଲେ ସାକ୍ଷୀଙ୍କୁ ପ୍ରଭାବିତ କରିବା, ଅଧସ୍ଥନ କର୍ମଚାରୀଙ୍କ ଉପରେ ଚାପ ପକାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ କିମ୍ବା ଇଲେକ୍ଟ୍ରୋନିକ ପ୍ରମାଣ ନଷ୍ଟ କରିବାର ଆଶଙ୍କା ରହିଛି । ତଦନ୍ତ ସମୟରେ ବାରମ୍ବାର ନୋଟିସ୍ ସତ୍ତ୍ୱେ ଅଭିଯୁକ୍ତ ସମ୍ପୂର୍ଣ୍ଣ ସହଯୋଗ କରିନଥିବା, ଆବଶ୍ୟକ ଦସ୍ତାବିଜ ଦାଖଲ କରିନଥିବା ଏବଂ ପଚରାଉଚରାକୁ ଏଡ଼ାଇବାକୁ ଚେଷ୍ଟା କରିଥିବା ମଧ୍ୟ ଆପତ୍ତି ପତ୍ରରେ ଉଲ୍ଲେଖ ରହିଛି । ମୋବାଇଲ କଲ୍ ଡିଟେଲ୍ ରେକର୍ଡ ବା ସିଡ଼ିଆର୍ ବିଶ୍ଳେଷଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଦାବି କରିଛି ପୁଲିସ । ଘଟଣା ଦିନ ମୋବାଇଲ ଲୋକେସନ୍ ଖୋର୍ଦ୍ଧା ଅଞ୍ଚଳରେ ଥିବା ବେଳେ ଜେଲ ଗେଟ୍ ରେଜିଷ୍ଟରରେ ଜେଲକୁ ଆସିବା ଓ ଯିବାର ଏକାଧିକ ଏଣ୍ଟ୍ରି ରହିଛି। ଏହା ରେଜିଷ୍ଟରରେ ପରବର୍ତ୍ତୀ ସମୟରେ ହେରଫେର ହୋଇଥିବାର ସନ୍ଦେହକୁ ଆହୁରି ଦୃଢ଼ କରୁଥିବା ପୋଲିସ କହିଛି। ପୁରୁଣା ମିନିଟ୍ ବୁକ୍‌କୁ ନେଇ ମଧ୍ୟ ପରସ୍ପର ବିରୋଧୀ ବୟାନ ସାମ୍ନାକୁ ଆସିଥିବା ଦର୍ଶାଇଛି ପୋଲିସ। ଗୋଟିଏ ଚିଠିରେ ମିନିଟ୍ ବୁକ୍ ଉପଲବ୍ଧ ନଥିବା କୁହାଯାଇଥିବା ବେଳେ ଅନ୍ୟ ଚିଠିରେ ଏହାର ଦାୟିତ୍ୱ ନେଇନଥିବା କଥା ଉଲ୍ଲେଖ ହୋଇଛି । ଏହି ପରସ୍ପର ବିରୋଧୀ ତଥ୍ୟ ତଦନ୍ତକୁ ଅଧିକ ସନ୍ଦେହଜନକ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ