ଫାଇନାନ୍ସ କର୍ମଚାରୀ ଯୋଗୁଁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ଏବେ ମାତିଛନ୍ତି ପାଇନାନ୍ସ କମ୍ପାନୀ କର୍ମଚାରୀ । ମହିଳାଙ୍କ ଉପରେ ମାସିକିଆ କିସ୍ତି ସୁଝିବାକୁ ଚାପ ପକାଉଥିବା ନେଇ ଅଭିଯୋଗ ହୋଇଛି । ଲକଡ଼ାଉନ ଯୋଗୁଁ ଧନୀ ଶ୍ରେଣୀରେ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ଗରିବ, ଦିନ ମଜୁରିଆ ସମେତ ସମସ୍ତ ବର୍ଗର ଲୋକଙ୍କ ଉପରେ ଆର୍ଥୀକ ବୋଝ ପଡ଼ିଛି । ଦୀର୍ଘ ୪ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଛି ଜୀବନ ସହିତ ସଂଘର୍ଷ । ମାସିକିଆ କିସ୍ତି ପରିଷୋଧ ଚାପ ଠାରୁ ଏବେ ଅଧିକ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ସରକାରୀ ତଥ୍ୟା ଅନୁସାରେ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକରେ ୧୧୩ ସଂକ୍ରମିତ ଥିବା ସୂଚନାଂ ପ୍ରଦାନ କରାଯାଇଥିବା ବେଳେ ବେସରକାରୀ ଭାବେ ୫ଶହରୁ ଅଧିକ ରହିଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଲାଗି ପୌର ପ୍ରଶାସନ ପକ୍ଷରୁ ପୌରାଂଚଳର ବିଭିନ୍ନ ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥ ଓ ୩୬ ନଂ ରାଜ୍ୟ ରାଜପଥର ମୂଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ଅବଶିଷ୍ଟ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୯ଟି ପଂଚାୟତକୁ କଂଟେନମେଂଟ ଓ ୩ ପଂଚାୟତକୁ ବଫଜୋନ ଭାବେ ଘୋଷଣା କରାଯାଇଛି । ପୌରାଂଚଳ ଓ ଗ୍ରାମାଂଚଳର ବିଭିନ୍ନ ସାହି ବସ୍ତି ସମେତ ପ୍ରବେଶ ପଥ ଗୁଡ଼ିକୁ ବାଉଁଶ ବାଡ଼ ସହାୟତାରେ ଫାଟକ କରାଯାଇଛି । ତଥାପି କିଛି ଗଳବାଟ ଦେଇ ବିଭିନ୍ନ ବେସରକାରୀ ଫାଇନାନ୍ସ କର୍ମଚାରୀ ମାନେ ପୌରାଂଚଳର ବିଭିନ୍ନ ୱାର୍ଡ଼ ଓ ବହୁ ଗ୍ରାମାଂଚଳରେ ପଶି ମହିଳା ଗୋଷ୍ଠୀଙ୍କୁ ଏକାଠି କରି ବୈଠକ କରୁଥିବା ଏବେ ଚିନ୍ତାର ବିଷୟ ପାଲଟିଛି । ସେମାନେ ସାହି ସାହି ବୁଲି ଋଣ ଟଙ୍କାର କିସ୍ତି ଆଦାୟ କରୁଥିବବାର ଦେଖିବାକୁ ମିଳିଛି । ଋଣ ନେଇଥିବା ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଏକାଠି କରି ଜୋର ଜବରଦସ୍ତ ଟଙ୍କା ପରିଷୋଧ କରିବାକୁ ଧମକ ଦେଉଛନ୍ତି । ଯଦି କୌଣସି ମହିଳା ଅମଙ୍ଗ ହୁଅନ୍ତି ଗିରଫ କରଯିବାର ଭୟ ଦେଖାଉଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ପ୍ରଦାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମହିଳା ଗୋଷ୍ଠୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ