ଆକାଂକ୍ଷାର ସଭାନେତ୍ରୀ ତଥା ସୁସାହିତ୍ୟିକା ମୀନାକ୍ଷୀ ସାହୁଙ୍କ ପରଲୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ୱର୍ଗତ ତ୍ରିନାଥ ସାହୁଙ୍କ ଜ୍ୟୋଷ୍ଠକନ୍ୟା ମୀନାକ୍ଷୀ ସାହୁଙ୍କ ଆଜି ପରଲୋକ ଘଟିଥିବା ଜଣାଯାଇଛି । ସେ ମହିଳା ସଂଗଠନ “ଆକାଂକ୍ଷା”ର ସଭାନେତ୍ରୀ ତଥା ଜଣେ ସୁସାହିତ୍ୟିକା ଥିଲେ । କେବଳ ପାରଳାଖେମୁଣ୍ଡି ନୁହେଁ ସମଗ୍ର ଓଡିଶାରେ ତାଙ୍କର ବିଭିନ୍ନ ପ୍ରବନ୍ଧ ରଚନା, ଗଳ୍ପ, କବିତା, ଉପନ୍ୟାସ ଏବଂ ବିଭିନ୍ନ ସାହିତ୍ୟ ରଚନା ଆଦି ଯୋଗୁଁ ବେଶ ଖ୍ୟାତି ଅର୍ଜନ କରିଥିଲେ । ମହିଳା ସଂଗଠନ “ଆକାଂକ୍ଷା”ର ସଭାନେତ୍ରୀ ଭାବେ ଗଜପତି ଜିଲ୍ଲା ଏବଂ ପାରଳାଖେମୁଣ୍ଡି ସହରାଞ୍ଚଳରେ ବିବିଧ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ସହ ଗରିବ ଲୋକଙ୍କୁ ସାହାର୍ଯ୍ୟ ଓ ସେବା ମନବୃତ୍ତି ନେଇ ସାଧାରଣଙ୍କ ଠାରେ ପ୍ରିୟପାତ୍ର ହୋଇପାରିଥିଲେ । ଏକାଧାରାରେ ରାଜନୀତି ସହ ମଧ୍ୟ ଜଡିତ ଥିଲେ । ପୂର୍ବରୁ କଂଗ୍ରେସ ଏବଂ ପରେ ବିଜେଡିର ଜଣେ ସକ୍ରିୟ ନେତ୍ରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ମହାମାରୀ କରୋନା ସମୟରେ ବହୁ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବାସହ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ, ଏସ୍‌.ପି., ବରିଷ୍ଠ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ପୋଲିସ କର୍ମଚାରୀ, ସାମ୍ବାଦିକ, ପରିମଳ ଓ ସଫେଇ କର୍ମଚାରୀ ପୌରପରିଷଦ କର୍ମଚାରୀ ସବୁ ବର୍ଗର ଲୋକଙ୍କୁ ମାସ୍କ, ସାନିଟାଇଜର ଆଦି ପ୍ରଦାନ କରିବା ସହ ଫୁଲତୋଡା ଦେଇ ସମ୍ମାନୀତ କରି କରୋନାକୁ ମୁକାବିଲା ପାଇଁ ସମସ୍ତଙ୍କ ଠାରେ ଶକ୍ତି ସଂଚାର କରୁଥିଲେ । ତାଙ୍କ ବିୟୋଗ ଖବର ପାରଳାଖେମୁଣ୍ଡି ସହର ସମେତ ସାରା ଜିଲ୍ଲାର ସବୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ସାନ ଭାଇ ମନୋଜ କୁମାର ସାହୁ ଜଣାଇଛନ୍ତି ଯେ ଗତ ବୁଧବାର ଦିନ ମୀନାକ୍ଷୀଙ୍କ ଦେହ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ହାଇଟେକ ମେଡିକାଲ ଭେଣ୍ଟିଲେଟରରେ ଭର୍ତ୍ତିକରି ଚିକିତ୍ସା ଚାଲୁରହିଥିଲା । ଗତକାଲି ତାଙ୍କର କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିଥିଲା । ଭେଣ୍ଟିଲେଟରରେ ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କରି ମୃତ୍ୟୁରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳା ବିଧାୟକ କେ.ନାରାୟଣ ରାଓ, ପାରଳାଖେମୁଣ୍ଡି ରାଜକୁମାରୀ ତଥା ବରିଷ୍ଠ ବିଜେଡି ନେତ୍ରୀ କଲ୍ୟାଣୀ ଦେବୀ, ପାରଳା ସ୍ୱାଭିମାନ ମଞ୍ଚର ଆବାହକ ତଥା ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପୂର୍ବତନ ବିଧାୟକ କେ.ସୁରିଆ ରାଓ, ଆକାଂକ୍ଷା ମହିଳା ସଂଗଠନର ତନୁଜା ଶତପଥି, ମୀନା କୁମାରୀ ଟହଲ, ଆଶାଲତା ପାଣିଗ୍ରାହୀ, ଅନୀତା ମିଶ୍ର, ସୁଜାତା ପାଢୀ, ପ୍ରଫୁଲ ବେବର୍ତ୍ତା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଲାସ୍ତରୀୟ ସାମ୍ବାଦିକ ଗରୁଡଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଦ୍ୱିଜେନ୍ଦ୍ରନାଥ ପାଢୀ, ଦେବାଶିଷ ପାଢୀ, ରଶ୍ମିରଂଜନ ମିଶ୍ର, ବସନ୍ତ କୁମାର ପଣ୍ଡା, ଶିଶିର କୁମାର ଗୌଡ, ଆଦର୍ଶ ଦାସ, ଗୋବିନ୍ଦ ଆଚାର୍ଯ୍ୟ, ବାସୁଦେବ ଦାସ, ଦଗଦୀଶ ପଣ୍ଡା, ସରୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ