ଅଗଷ୍ଟ ୧୫ ରେ ଗୁଞ୍ଜନ ସକ୍ସେନା ରିଲିଜ
ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅପକମିଂ ଫିଲ୍ମ ‘ଗୁଞ୍ଜନ ସକ୍ସେନା: ଦ କାରଗିଲ ଗର୍ଲ’କୁ ରିଲିଜ ତାରିଖ ମିଳିଯାଇଥିବା କୁହାଯାଉଛି । ସ୍ୱାଧୀନତା ଦିବସ ଅବସରରେ ନେଟଫିକ୍ସରେ ତାହା ମୁକ୍ତିଲାଭ କରିପାରେ । ଫିଲ୍ମ ସହ ଜଡ଼ିତ ଜଣେ ବ୍ୟକ୍ତି କହିଛନ୍ତି ‘ଏହା ଏକ ଦେଶଭକ୍ତି ମୂଳକ କାହାଣୀ । ତେଣୁ ଏହାର ରିଲିଜ ପାଇଁ ଅଗଷ୍ଟ ୧୫ ତାରିଖ ସବୁଠୁ ଭଲ ଦିନ ବୋଲି ଚିନ୍ତା କରାଯାଉଛି । ଫିଲ୍ମର ଏକ ନାଟକୀୟ ଟ୍ରେଲର ପ୍ରସ୍ତୁତ ହେଉଛି । ଆଗାମୀ ୧୦ ଦିନ ମଧ୍ୟରେ ତାକୁ ଜାରି କରାଯିବ । ଏହା ପୂର୍ବରୁ ନିର୍ମାତାମାନେ ଫିଲ୍ମର ରିଲିଜ ପାଇଁ ବିଭିନ୍ନ ତାରିଖ ସମ୍ପର୍କରେ ଚିନ୍ତା କରୁଥିଲେ । ସେଥିମଧ୍ୟରୁ ଜୁଲାଇ ୨୬ ଅର୍ଥାତ କାରଗିଲ ଦିବସ ବି ସାମିଲ ଥିଲା । କିନ୍ତୁ ପୋଷ୍ଟ ପ୍ରଡକ୍ସନରେ ଅଧିକ ସମୟ ଲାଗିବାରୁ ରିଲିଜକୁ କିଛି ସପ୍ତାହ ଆଗକୁ ଘୁଞ୍ଚାଇ ଦିଆଯାଇଛି । ଏପରି ସ୍ଥଳରେ ଯଦି ସବୁକିଛି ଠିକଠାକ ରହେ ତା ହେଲେ ଆଗାମୀ ୨୬ ତାରିଖରେ ଟ୍ରେଲର ସାମ୍ନାକୁ ଆସିପାରେ ।’ ସୂଚନା ଥାଉ କି ଏହି ଫିଲ୍ମ ଭାରତୀୟ ବାୟୁସେନାର ପାଇଲଟ ଗୁଞ୍ଜନ ସକ୍ସେନାଙ୍କ ଜୀବନୀ ଉପରେ ଆଧାରିତ । ୧୯୯୯ କାରଗିଲ ଯୁଦ୍ଧ ସରେ ସେ ଚିତା ହେଲିକେପ୍ଟର ଉଡ଼ାଇ ଇତିହାସ ରଚିଥିଲେ । ଜାହ୍ନବୀ ଏଥିରେ ଗୁଞ୍ଜନ ସକ୍ସେନାଙ୍କ ଭୂମିକା ନିର୍ବାହ କରୁଛନ୍ତି । ପଙ୍କଜ କପୁରଙ୍କୁ ତାଙ୍କର ପିତାଙ୍କ ଭୂମିକାରେ ଦେଖିବାକୁ ମିଳିବ ।