ସ୍ୱର୍ଗତ ବିଷ୍ଣୁ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ନାଗରିକ ଶ୍ରଦ୍ଧାଞଳୀ ସଭା
ନାଉଗାଁ, (ଓ୍ବାଇଏନ୍ଏସ୍) : ହନୁମାନ ମନ୍ଦିର ନିକଟସ୍ଥ କାଦମ୍ବିନୀ ମଣ୍ଡପରେ ଜଗତସିଂହପୁରର ପୂର୍ବତନ ବିଧାୟକ, ଓଡିଶାର ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ତଥା ତିର୍ତୋଲ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଉଦ୍ଦେଶ୍ୟରେ ନାଗରିକ ଶ୍ରଦ୍ଧାଞଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ସର୍ବଦଳୀୟ ନାଗରିକ ସଭାରେ ବ୍ଳକ ବିଜେଡି ସଭାପତି ସୁଜିତ ମଲ୍ଲିକ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ବିଜୁ କୃଷକ ମୋର୍ଚ୍ଚାର ସଭାପତି ପ୍ରକାଶ ବସ୍ତିଆ, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା, ବ୍ଳକ କଂଗ୍ରେସ ସଭାପତି ନିରଞନ ବେହୁରା, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ, କୋରୁଅ ସରପଂଚ ଅରଣ୍ୟ ନାୟକ, ଆଇନିଜୀବ୍ ପ୍ରଶାନ୍ତ ସ୍ୱାଇଁ, ଅଲଣା ସମିତି ସଭ୍ୟ ମନ୍ମଥ ଓଝା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଏଲିନା ଦାସ, ଅଜୟ ମହାନ୍ତି, ଯୁବନେତା ତରୁଣକାନ୍ତ ବାରିକ, ଆଲୋକ ମହାନ୍ତି, ପୃଥିରାଜ ମହାନ୍ତି, ପ୍ରତ୍ୟୁଷ ପରିଡା, ସୁଶାନ୍ତ ପରିଡାଙ୍କ ସମେତ ବିଭିନ୍ନ ପଂଚାୟତର ଜନ ପ୍ରତିନିଧି, ଛାତ୍ରନେତା, ବରିଷ୍ଠ ନାଗରିକ ଆଦି ଯୋଗ ଦେଇଥିଲେ । ବିଷ୍ଣୁ ଦାସଙ୍କ ଫଟୋ ଚିତ୍ରରେ ବାବା ସତ୍ୟାନନ୍ଦ ଦାସ ପ୍ରଦୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅନ୍ୟ ଅତିଥି ଓ ଜନସାଧାରଣ ମାଲ୍ୟାର୍ପଣ କରିଥିଲେ । ବିଷ୍ଣୁ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସୁଜିତ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ବିଷ୍ଣୁ ଦାସ ଜଣେ ଦରଦି ତଥା ଆମାୟିକ ବ୍ୟକ୍ତିତ୍ୱ ଥିଲେ । ସେ ଜଗତସିଂହପୁର ଜିଲ୍ଲାର ସ୍ରଷ୍ଟା ଥିବା ବେଳେ ସମସ୍ତଙ୍କ ସୁଖ ଦୁଃଖରେ ଭାଗିଦାର ରହୁଥିଲେ । ତାଙ୍କ ବିୟୋଗରେ ଜଗତସିଂହପୁର ଜିଲ୍ଲାରେ ଏକ ଶୂନ୍ୟସ୍ଥାନ ପୁରଣ ହୋଇଛି । ତାଙ୍କର ଦୃଢ ଇଚ୍ଛା ଶକ୍ତି, ଅଦମ୍ୟ ସାହାସ ଓ ତାଙ୍କର କାର୍ଯ୍ୟକଳାପ ପାଇଁ ସେ ଆଜି ସମସ୍ତଙ୍କ ପାଖରେ ଚିର ଜୀବିତ ହୋଇ ରହିଛନ୍ତି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।


