ସରକାରଙ୍କ ସାମାନ୍ୟତମ ମାନବିକତା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ

ବୁଗୁଡା, (ଅନିଲ କୁମାର ମହାରଣା):”ମାନବ ସେବା ମାଧବ ସେବା”, “ବୈଦ୍ୟ ଦେବତା”,”ରାବଣର ରାଜବୈଦ୍ୟ ଆସି ଲକ୍ଷ୍ମଣଙ୍କୁ କରିଥିଲେ ଚିକିତ୍ସା” ଏହିପରି ବହୁ ଉକ୍ତି ଆମେ କେଉଁ ସମୟରୁ ଶୁଣି ଆସୁଛନ୍ତି। ହେଲେ ବିଡମ୍ବନାର ବିଷୟ ଏହି ସବୁଗୁଣର ସାମାନ୍ୟତମ ଚେଷ୍ଟା ଦେଖିବାକୁ ମିଳିନଥିଲା ଭୁବନେଶ୍ୱରର ୩ ଟି ବଡ଼ ଘରୋଇ ହସପିଟାଲରେ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ପାଇକାରୀ ଲୁଗା ବ୍ୟବସାୟୀ ନରସିଂହ କୁଣ୍ଡୁ ଙ୍କ କରୋନା ବ୍ୟତୀତ ଅନ୍ୟ ରୋଗରେ ଗୁରୁତର ହେବାଯୋଗୁଁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସପିଟାଲର ପ୍ରଫେସର କଟକକୁ ରିଫେର କରିଥିଲେ ମଧ୍ୟ ରୋଗୀଙ୍କ ପୁଅ ଚୈତନ୍ୟ କୁଣ୍ଡୁ ଚିନ୍ତା କଲେଯେ ବାପାଙ୍କ ଏହିପରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଆପୋଲ ହସପିଟାଲକୁ ଗଲେ ଉତ୍ତମ ସେବା ପାଇପାରିବେ ଆଶାକରି ଆପୋଲ ହସପିଟାଲର ଜଣେ ଡାକ୍ତରଙ୍କ ସହ ଫୋନରେ କଥାହୋଇ ଏକ ଘରୋଇ ଆମ୍ବୁଲାନ୍ସରେ ଆପୋଲ ହସପିଟାଲରେ ପହଞ୍ଚିଥିଲେ। ଆମ୍ବୁଲାନ୍ସ ଆପୋଲ ହସପିଟାଲ ପ୍ରବେଶ ଦ୍ୱାର ନିକଟରେ ପହଞ୍ଚିବା ମାତ୍ରେ କେଉଁଠାରୁ ଆସିଛ ବୋଲି ପଚାରି ଥିଲେ । ରୋଗୀଙ୍କ ପୁଅ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରୁ ଆସିଥବା ପ୍ରକାଶ କରିଥିଲେ। ଗଞ୍ଜାମ ଜିଲ୍ଲା ନାମ ଶୁଣିବା ମାତ୍ରେ ଗଞ୍ଜାମ ଜିଲ୍ଲା ରୋଗୀଙ୍କୁ ଏଠାରେ ଚିକିତ୍ସା କରାଯିବ ନାହିଁ ବୋଲି ରୋକ୍ ଠୋକ୍ ମନାକଲେ । ରୋଗୀଙ୍କ ପୁଅ କାକୁତି ମିନତି ହୋଇ କହିଲେଯେ ତାଙ୍କ ବାପା କରୋନା ରୋଗୀ ନୁହଁନ୍ତି। ବ୍ରହ୍ମପୁର ମେଡିକାଲ କଟକକୁ ରିଫେର କରିଥିଲେ ମଧ୍ୟ ଆପୋଲ ହସପିଟାଲର ଡାକ୍ତରଙ୍କ ପରାମର୍ଶ କ୍ରମେ ଏଠାକୁ ଚିକିତ୍ସା ପାଇଁ ଆଣିଛି। ଚୈତନ୍ୟ ମୁଣ୍ଡିଆ ମାରି କାକୁତିମିନତି ହୋଇ ବାପାଙ୍କ ଜୀବନ ରକ୍ଷା ପାଇଁ ଯେତେ ନେହୁରା ହେଲେବି ଗଞ୍ଜାମ ରୋଗୀଙ୍କୁ ହସପିଟାଲରେ ଚିକିତ୍ସା କରା ଯିବନି ବୋଲି ମନାକରି ସରକାରୀ ହସପିଟାଲକୁ ଯାଅ ବୋଲି ତଡି ଦେଇଥିଲେ।ଗୁରୁତର ବାପାଙ୍କୁ ଧରି ପୁଅ ଯାଇଥିଲେ ଆମ୍ରି ହସପିଟାଲକୁ। କାରଣ ସେଠାରେ ରୋଗୀ ନରସିଂହ ପୂର୍ବରୁ ସେହି ରୋଗ ନେଇ ଚିକିତ୍ସା ହୋଇଥିଲେ। ସେଠାରେ ମଧ୍ୟ ସେହି ଗୋଟିଏ ଉତ୍ତର ଗଞ୍ଜାମ ରୋଗୀଙ୍କୁ ହସପିଟାଲରେ ଭର୍ତ୍ତି କରାଯିବ ନାହିଁ। ସେଠାରୁ ଆମ୍ବୁଲାନ୍ସରେ ଗୁରୁତର ବାପାଙ୍କୁ ଧରି ଯାଇଥିଲେ କିମସ ହସପିଟାଲକୁ। ସେଠାରେ ଆମ୍ବୁଲାନ୍ସ ପହଞ୍ଚିଲା ପରେ ସେହି ଗୋଟିଏ ପ୍ରଶ୍ନ କେଉଁଠାରୁ ଆସିଛ। ପୁଅ ବାପାଙ୍କ ରୋଗ ବିଷୟ କହିବା ପରେ ହସପିଟାଲ କର୍ତ୍ତୃପକ୍ଷ ଚଲାକିରେ କହିଲେ ବର୍ତ୍ତମାନ ଡାକ୍ତର ନାହାଁନ୍ତି, ସରକାରୀ ମେଡ଼ିକାଲକୁ ନେଇଯାଅ। ସେତେବେଳେକୁ ବୋଧହୁଏ ନରସିଂହଙ୍କ ପ୍ରାଣବାୟୁ ନଥିଲା, ଯେହେତୁ ସେ ସ୍ଥିର ହୋଇ ପଡି ରହିଥିଲେ। ବାପାଙ୍କ ସେହି ଅବସ୍ଥା ଦେଖି ପୁଅ ମନରେ ଶଙ୍କା ଆସିଯାଇ ବାପାଙ୍କ ମୃତ୍ୟୁ ହୋଇଗଲାକି ଭାବି ବାପାଙ୍କ ପରିସ୍ଥିତି କଣ ପରୀକ୍ଷା କରିବାକୁ ଅନୁରୋଧ କରିଥିଲେ। ପରୀକ୍ଷା କରବା ଦୂର କଥା ଆମ୍ବୁଲାନ୍ସ ନିକଟକୁ ମଧ୍ୟ ଆସି ନଥିଲେ କିମସର ଜରୁରୀ ସେବାରେ ଥିବା ଡାକ୍ତର । ଶେଷରେ ନିଃସହାୟ ଅବସ୍ଥାରେ ବାପାଙ୍କ ଶବ ଧରି ଫେରିଥିଲେ ବ୍ରହ୍ମପୁର ପୁଅ ଚୈତନ୍ୟ। ଏହି ଅମାନୁଷିକ ବିଷୟ ଯିଏ ଶୁଣୁଛି ସେ ହାତବାକ ହେଉଛନ୍ତି। ରାଜ୍ୟ ସରକାର ରାଜଧାନୀରେ ବହୁ ମୂଲ୍ୟବାନ ଜମି ଘରୋଇ ହସପିଟାଲ ମାଲିକଙ୍କୁ ପ୍ରଦାନକରି ସମସ୍ତ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ହସପିଟାଲ ପ୍ରତିଷ୍ଠା ପାଇଁ ଅନୁମତି ଦେଇଛନ୍ତି। ପ୍ରଶ୍ନ ଉଠୁଛି ରାଜ୍ୟ ସରକାର ଗଞ୍ଜାମ ରୋଗୀଙ୍କୁ ଚିକିତ୍ସା ନକରିବା ପାଇଁ ଏହି ଘରୋଇ ହସପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି କି ? ଯଦି ସରକାର ଗଞ୍ଜାମ ବାସୀଙ୍କୁ ଏହି ଘରୋଇ ହସପିଟାଲରେ ଚିକିତ୍ସା ନକରିବା ପାଇଁ ନିର୍ଦ୍ଦେଶ ଦେଇଥିବେ ତେବେ ସରକାର ମୃତ୍ୟୁ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ, ନତୁବା ଗୁରୁତର ରୋଗୀ ନରସିଂହ କୁଣ୍ଡୁଙ୍କ ମୃତ୍ୟୁ ପାଇଁ ଦାୟୀ ରହିଥିବା ଏହି ତିନୋଟି ହସପିଟାଲ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରନ୍ତୁ। ଯଦି ରାଜ୍ୟ ସରକାରଙ୍କ ସାମାନ୍ୟତମ ମାନବିକତା ଥାଏ ତେବେ ସେହି ରୋଗୀଙ୍କୁ ଜାଣିଶୁଣି ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗରେ ସର୍ବ ପ୍ରଥମେ ଆପୋଲ ହସପିଟାଲ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବା ସହ ଅନ୍ୟ ଦୁଇ ହସପିଟାଲ ବିରୁଦ୍ଧରେ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଉ। ସର୍ବସାଧାରଣଙ୍କ ଜମିରେ ସର୍ବସାଧାରଣକୁ ଉଚିତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଚୁକ୍ତିବଦ୍ଧ ଘରୋଇ ହସପିଟାଲ ଗୁଡିକରେ ଯେପରି ଏହାର ପୁନରାବୃତ୍ତି ନହୁଏ ସେଥିପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ। ଏଥିସହ ମଧ୍ୟ ସେହି ତିନି ହସପିଟାଲ ଜାଣିରଖିବା ଉଚିତ ଯେ ସେହି ହସପିଟାଲର କର୍ତ୍ତୃପକ୍ଷ ସେଠାରେ କରୋନା ପଜିଟିଭ ରୋଗୀଙ୍କୁ ଚିକିତ୍ସା କରିବାକୁ ଆବେଦନ କରି ଅନୁମତି ପାଇଛନ୍ତି। ଯଦି ଗଞ୍ଜାମ ଜିଲ୍ଲାର ବ୍ୟକ୍ତିଙ୍କ କରୋନା ପଜିଟିଭ ଆଶଙ୍କା କରୁଥାନ୍ତି ତେବେ ସ୍ବର୍ଗତ କୁଣ୍ଡୁଙ୍କ ସ୍ଲାବ ଟେଷ୍ଟ କରି ତାଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରି ଚିକିତ୍ସା କରିପାରିଥାନ୍ତେ। ଜଣେ କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଘରୋଇ ହସପିଟାଲମାନେ ଲକ୍ଷ ଲକ୍ଷ ଟଙ୍କା ସରକାରଙ୍କ ଠାରୁ ପାଉଥିବା ବେଳେ ଏହିପରି ମନମୁଖୀ କାର୍ଯ୍ୟ କାହା ସହାସରେ କରୁଛନ୍ତି। ସରକାର ଏଥିପାଇଁ ତଦନ୍ତ କରି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ନତୁବା ଗଞ୍ଜାମ ଜନସାଧାରଣ କଦାପି କ୍ଷମା କରିବେ ନାହିଁ। ଆଗାମୀ ଦିନରେ ସରକାରଙ୍କୁ ଏହାର ଜବାବ ନିଶ୍ଚିତ ମାଗିବେ, ଏଥିରେ ସନ୍ଦେହ ନାହିଁ। ଏହି ବିଷୟ ନେଇ ଗଞ୍ଜାମର ସହର ଠାରୁ ଆରମ୍ଭ କରି ପଲ୍ଲୀ ପର୍ଯ୍ୟନ୍ତ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ