ତୁଳସୀ ମହିଳା ମହାବିଦ୍ୟାଳୟର ୪୦ତମ ପୂର୍ତି ପ୍ରତିଷ୍ଠା ଦିବସ ପାଳିତ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡ଼ାର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ୪୦ତମ ପୂର୍ତି ପ୍ରତିଷ୍ଠା ଦିବସ କଲେଜ ଅଧ୍ୟକ୍ଷ ଡ଼ଃ ସ୍ମୃତିରଞ୍ଜନ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କଲେଜର ଛାତ୍ରୀମାନେ ବିଭିନ୍ନ ସ୍ୱେଛାସେବୀ ଓ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେବା ସହ ଅଧ୍ୟକ୍ଷଙ୍କ ସହ ନିୟମିତ ସମ୍ପର୍କ ରକ୍ଷା କରି କଲେଜର ସର୍ବାଙ୍ଗୀନ ଉନ୍ନତି କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସୁନାମଧନ୍ୟ କବି, ଗାଳ୍ପିକ ଓ ସ୍ତମ୍ଭକାର ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼ଃ ସର୍ବେଶ୍ୱର ସେଣ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଔପନାସିକ ଫକୀର ମୋହନ ସେନାପତିଙ୍କ ରେବତୀ ଉପନ୍ୟାସର ରେବତୀ ଚରିତ୍ରର ଦୃଷ୍ଟାନ୍ତ ଦେଇ କେବଳ ନାରୀଶିକ୍ଷାର ପ୍ରସାରରେ ହିଁ ଆଜିର ସମାଜର ଉନ୍ନତି ସମ୍ଭବ ହୋଇପାରିବ ବୋଲି ବକ୍ତବ୍ୟ ରଖିଥିଲେ । ଆଜକୁ ୩୯ବର୍ଷ ତଳେ ସୂର୍ଗତ ଧୀରାମଣୀ ଦେବୀ ନାରୀ ଶିକ୍ଷାର ପ୍ରଗତି ପାଇଁ ତୁଳସୀ ମହିଳା କଲେଜର ପ୍ରତିଷ୍ଠା କରିଥିଲେ । ଏହି ଅବସରରେ ଡଃ. ସେଣ ସରକାରୀ ଅଫିସରେ ଓଡିଆ ଭାଷାରେ ନଥିପତ୍ର ଲେଖାଯିବା ଓ ନିମନ୍ତ୍ରଣ ପତ୍ର ଓଡିଆରେ ଛପାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡିଆ ଭାଷା,ମା,ମାଟି ଓ ମଣିଷକୁ ଭଲ ପାଇବାକୁ ସେ ଆହ୍ୱାନ ଦେଇଥିଲେ । ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରାଧ୍ୟାପିକା ପ୍ରମିଳାରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହଯୋଗୀ ପ୍ରଫେସର୍ ରଞ୍ଜିତ୍ ରଞ୍ଜନ ସାହୁ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହ କଳେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ପ୍ରାଧ୍ୟାପକ ଅଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପିକା ଜ୍ୟୋତ୍ସ୍ନାମୟୀ ପତି , ଡ଼ଃ ମଥୁରୀ ଚରଣ ନାୟକ, ବାଗ୍ମୀ ସାମଲ, ମୁଖ୍ୟ କିରାଣୀ ରବିନ୍ଦ୍ର ନାଥ ପରିଡା, ଆକାଉଂଟାଂଟ ଇନ୍ଦୁମତି ସାହୁ,ବଳରାମ ବାରିକ, ଦୈତାରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ