ନାଉଗାଁ ବ୍ଳକରେ ଫନି ମୁଗ ସହାୟତା
ନାଉଗାଁ, (ଓ୍ବାଇଏନ୍ଏସ୍):ଗତ ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ମୁଗ ଓ ଧାନ ଫସଲ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଉଛି । ଏହି ସହାୟତା ଅଧିକାଂଶ ଜନ ପ୍ରତିନିଧି ପରିବାର, ଏକାନ୍ନବର୍ତୀ ପରିବାର, କୃଷକ ସାଥୀ ପରିବାର ଓ ଅଣଚାଷୀ ସାମିଲ ହୋଇଥିବା ଦେଖାଯାଇଛି । ଏପରିକି ଉକ୍ତ ବାତ୍ୟାରେ ପ୍ରକୃତ ଚାଷୀଙ୍କର କ୍ଷତି ହୋଇଥିବା ବେଳେ ସେମାନେ କ୍ଷତି ପୁରଣ ପାଇ ନଥିବା ବେଳେ ଅଣଚାଷୀ କ୍ଷତି ପୁରଣ ପାଇଛନ୍ତି । କେତେକ ସ୍ଥଳେ କୃଷି କର୍ମଚାରୀ ଅଣଚାଷୀଙ୍କ ନାମ ତାଲିକାରେ ଯୁକ୍ତ କରି ଉକ୍ତ ଟଙ୍କା ସେମାନଙ୍କ ଠାରୁ ହାତେଈ ଥିବା ଚର୍ଚ୍ଚା ଜୋର ଧରିଛି । କୃଷି କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ନାଉଗାଁ ପଂଚାୟତରେ ୧୮୫, ବାଂଶ ୧୧୦, ଶିଖର ୮୬, ଡେରିକି ୧୪୦, ଡାବର ୧୯୦,ତିରୁଣା ୨୨୬,କୋରୁଅ ୧୩୬,ଅଲଣା ୩୫୦,ଘୋଡାଂଶ ୩୬୭,ଜାମୁଗାଁ ୫୦୭, ଗଜରାଜପୁର ୪୦୨,ଗଳଦାରୀ ୫୧୯,ନୂଆଗାଁ ୨୦୬, ରୋହିଆ ୩୫୯, ବଛାଳୋ ପଂଚାୟତରେ ୮୬ ଚାଷୀଙ୍କୁ ମିଶାଇ ମୋଟ ୧୫ଟି ପଂଚାୟତର ସମୁଦାୟ ୩ ହଜାର ୮ ଶହ ୬୯ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଛି । ଏଥିରେ ଜଳସେଚିତ ତଥା ଧାନ ଫସଲ ପାଇଁ ୧୧୩.୮ ହେକ୍ଟର ଚାଷ ଜମିରେ ୩୬୮ଜଣ ଚାଷୀଙ୍କୁ ସାମିଲ କରାଯାଇଥିବା ବେଳେ ମୁଗ ଫସଲ ତଥା ଅଣ ଜଳସେଚିତ ପାଇଁ ୧୫୩୦.୨ ହେକ୍ଟର ଚାଷ ଜମି ପାଇଁ ୩୫୦୧ ଜଣ ଚାଷୀଙ୍କୁ ସାମିଲ କରାଯାଇଛି । ଏହି ଚୟନ ପ୍ରକ୍ରିୟା ଠିକ ଭାବେ ହୋଇ ନଥିବା ଅନେକ ଚାଷୀ ମତବ୍ୟକ୍ତ କରିଛନ୍ତି । ଗଜରାଜପୁର ପଂଚାୟତରେ ଏକାନ୍ନବର୍ତି ପରିବାର ,କୃଷକ ସାଥୀ ପରିବାର ଉକ୍ତ ସହାୟତା ପାଇଥିବା ବେଳେ ପ୍ରକୃତ ଚାଷୀଙ୍କୁ ଅଣଦେଖା କରାଯାଇଛି । ସେହିପରି ଜାମୁଗାଁ ପଂଚାୟତରେ ଅଣଚାଷୀ,ଏକାନ୍ନବର୍ତୀ ପରିବାର, କୃଷକ ସାଥୀ ପରିବାରର ଏକାଧିକ ବ୍ୟକ୍ତି ମୁଗ କ୍ଷତି ସହାୟତା ପାଇଥିବାକୁ ନେଇ ଏହି ପଂଚାୟତର ଚାଷୀମାନେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେହିପରି ନୁଆଗାଁ ପଂଚାୟତରେ ଏକାନ୍ନବର୍ତୀ ପରିବାର, ଜନ ପ୍ରତିନିଧଙ୍କ ପରିବାର ଯଥା ଜିଲ୍ଲା କାର୍ଯ୍ୟାଳୟର ପ୍ରକାଶିତ ତାଲିକାର କ୍ରମିକ ନଂ ୨୮୩୯ ଅମିନା ସ୍ୱାଇଁ-ସ୍ୱାମୀ ଜାନକୀ ସ୍ୱାଇଁ, ୨୮୪୫- ବସନ୍ତ ସ୍ୱାଇଁ -ପିତା କୃଷ୍ଣ ସ୍ୱାଇଁ,୨୮୫୭-ଜାନିକି ସ୍ୱାଇଁ-ପିତା କୃଷ୍ଣ ସ୍ୱାଇଁ, ୨୮୪୮ -ବିଭୁତି ସ୍ୱାଇଁ-ପିତା କୃଷ୍ଣ ସ୍ୱାଇଁ ସହାୟତା ହାତେଇଥିବା ବେଳେ ପୂର୍ବତନ ସଭ୍ୟ ୨୯୧୮- ଅମରେନ୍ଦ୍ର ମହାନ୍ତି ପିତା-ବୈଷ୍ଣବ, ୨୯୫୪-ମଧୁସ୍ମିତା ପରିଜା-ସ୍ୱାମୀ ଅମରେନ୍ଦ୍ର ମହାନ୍ତି, ୨୯୩୯-ଜ୍ଞାନେନ୍ଦ୍ର ମହାନ୍ତି -ପିତା ବୈଷ୍ଣବ ମହାନ୍ତି, ୨୯୩୭-ଗୋଲାପ ମହାନ୍ତି, ପିତା ବୈଷ୍ଣବ ମହାନ୍ତି ପ୍ରତ୍ୟେକ ୬ ହଜାର ୮ଶହ ଟଙ୍କା ଲେଖାଁଏ ସହାୟତା ହାତେଇ ଥିବାକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉକ୍ତ ପଂଚାୟତରେ ପ୍ରକୃତ ଚାଷୀ ସହାୟତା ପାଇ ନଥିବା ଅଭିଯୋଗ ହୋଇଛି । କେବଳ ଏହି ପଂଚାୟତ ନୁହେଁ ବ୍ଳକର ଅନ୍ୟ ୧୨ଟି ପଂଚାୟତର ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିଲେ କୃଷି ବିଭାଗର ସ୍ୱଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । କୃଷି ବିଭାଗ କର୍ମଚାରୀ, କୃଷକ ସାଥୀ, ଜନ ପ୍ରତିନିଧିମାନେ ସଲାସୁତୁରାରେ ତାଲିକା ପ୍ରସ୍ତୁତ କରି ଫନି ସହାୟତା ହାତେଇଛନ୍ତି । ଯାହାଫଳରେ କ୍ଷତି ହୋଇଥିବା ପ୍ରକୃତ ଚାଷୀର ସହାୟତା ମିଳି ନାହିଁ । ଯାହାର ସଠିକ ତଦନ୍ତ କରାଯିବା ପାଇଁ ଚାଷୀମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏ ବିଷୟରେ ଗଜରାଜପୁର ସର୍କଲର ସହ-କୃଷି ଅଧିକାରୀ ତୁଷାରକାନ୍ତ ସ୍ୱାଇଁଙ୍କୁ ପଚାରିବାରୁ ରାଜସ୍ୱ ବିଭାଗ ଓ କୃଷି ବିଭାଗ ପକ୍ଷରୁ ମିଳିତ ଭାବେ ତଦନ୍ତ କରାଯାଇଥିଲା । ତେଣୁ ସଠିକ ଆକଳନ ହୋଇଥିବା ପ୍ରକାଶ କରିଥିଲେ ।


