କୋଭିଡ ପରିଚାଳନାରେ ଜିଲ୍ଲା ପ୍ରଶାସନ ଭୂଆଁ ବୁଲାଇବା ନିତୀ ବନ୍ଦ କରୁ : କାହ୍ନୁ ପତି
ବ୍ରହ୍ମପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ବାସିଙ୍କୁ ଏବେ ଭଗବାନ ଭରଷା । କୋଭିଡ ପରିଚାଳନାରେ ଜିଲ୍ଲା ପ୍ରଶାସନ ଯେ ସମ୍ପୂର୍ଣ୍ଣ ଭାବେ ବିଫଳ ତାହା ବର୍ତମାନ ସ୍ପଷ୍ଠ ଭାବେ ପ୍ରମାଣିତ ହେଉଛି । ଯାହାର ନଗ୍ନ ଚିତ୍ର ଏବେ ଧିରେ ଧିରେ ସାମ୍ନାକୁ ଆସୁଛି । ଜିଲ୍ଲା ପ୍ରଶାସନର ନିଷ୍ପତି ହେଉ କିମ୍ବା କୋଭିଡ ହସପିଟାଲ ବା କେୟାର ସେଂଟରରେ ପରିଚାଳନାଗତ ତୃଟି । ଯାହାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସତ କହିବାକୁ ଗଲେ ଜିଲ୍ଲା ପ୍ରଶାସନର ଘଡିକି ଘଡି ନିଷ୍ପତି ଏବଂ କୋଭିଡ କେୟାର ସେଂଟର ବା ହସପିଟାଲ ପ୍ରତି ଲୋକଙ୍କ ଭରଷା ତୁଟି ଗଲାଣି । ଅଜ୍ଞ ବ୍ୟକ୍ତିଙ୍କର ନିଷ୍ପତି ଏବଂ ଅଭିଜ୍ଞତା ଥିବା ଅଧିକାରୀଙ୍କର ଏଭଳି କୋଭିଡ ପରିଚାଳନା ନୀତି ପ୍ରତି ଲୋକ ବିଶ୍ୱାସ ହରେଇଲେଣି । ଯାହାର ଜ୍ୱଳନ୍ତ ଉଦାହରଣ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ରୋଗୀକୁ ନନେଇ ପ୍ରାଣ ହରାଇବା ହେଉ କିମ୍ବା କୋଭିଡ ହସପିଟାଲରେ ୫ଦିନ ପୂର୍ବରୁ କରୋନା ପଜେଟିଭ ରୋଗୀ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଏ ନେଇ ତାଙ୍କ ପରିବାର ଲୋକଙ୍କୁ ଅବଗତ ନ କରାଇବା ହେଉ । ସବୁଠାରୁ ବଡ କଥା ହେଉଛି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଯେଉଁ ଭଳି ବାର୍ତା ପ୍ରଦାନ କରୁଛନ୍ତି ଯେ ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ନୁହେଁ । ଯଦି କରୋନା ସନ୍ଦେହରେ ସରକାରୀ ବ୍ୟବସ୍ଥା ରୋଗୀର ପାଖ ନ ମାଡେ ଏବଂ ପରବର୍ତୀ ସମୟରେ ରୋଗୀର ପ୍ରାଣହାନୀ ଘଟେ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଜିଲ୍ଲା ପ୍ରଶାସନ କିଭଳି କୋଭିଡ ପରିଚାଳନା କରୁଛି । ଆଉ ଏଥି ପାଇଁ ଦାୟୀ କିଏ ? ତେବେ ରାଜ୍ୟ ସରକାରଙ୍କର ଗଂଜାମ ପ୍ରତି ଫୋକସ ଏବଂ ଜିଲ୍ଲା ପ୍ରଶାସନର ଏଭଳି କୋଭିଡ ପରିଚାଳନା ନୀତି କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗଂଜାମର ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି । ସେ କହିଛନ୍ତି ଯେ ରାଜ୍ୟ ସରକାର ଗଂଜାମ ପ୍ରତି ଦୃଷ୍ଟି ଦେଉଥିବା କଥା ସମ୍ପୂର୍ଣ୍ଣ ଭାବେ ମିଛ ଏବଂ ପ୍ରଶାସନ କୋଭିଡ ପରିଚାଳନାରେ ସଂପୂର୍ଣ୍ଣ ଭାବେ ବିଫଳ ହେଇଛନ୍ତି । ଯେଉଁଥି ପାଇଁ ଜିଲ୍ଲା ପ୍ରଶାସନର ଏ କରୋନା ଆଳରେ ଆଜି ଅକାଳରେ ନିରୀହ ଲୋକେ ନିଜର ପ୍ରାଣ ହରାଉଛନ୍ତି । ବ୍ରହ୍ମପୁର ବଡ ବଜାର ଅଂଚଳର ବସନ୍ତ କୁମାର ସାହୁଙ୍କ ଟାଟା କୋଭିଡ ହସପିଟାଲରେ ଗତ ୨୪ତାରିଖରେ ତାଙ୍କର ମୃତ୍ୟୁ ବରଣ ହୋଇଥିବା ଟାଟା କୋଭିଡ ହେଲ୍ପ ଲାଇନ ନମ୍ବର ରୁ ଗତକାଲି ସୂଚନା ଆସିଥିଲା । ଗତ ୧୯ତାରିଖରେ ସେ ଟାଟା କୋଭିଡ ହସପିଟାଲରେ ଭର୍ତି ହୋଇଥିଲେ । ଗତ ୨୪ତାରିଖ ଯାଏ ସେ ପରିବାର ଲୋକଙ୍କ ସହ ଫୋନ ଯୋଗେ କଥାବାର୍ତା ହେଉଥିଲେ । ସେହି ଦିନ ଠାରୁ ତାଙ୍କ ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକ ଯୋଗାଯୋଗ କରିପାରିନଥିଲେ । ପରିବାର ଲୋକେ ୨୪ତାରିଖରୁ ୨୭ ତାରିଖ ଯାଏଁ ହେଲ୍ପଲାଇନ ନମ୍ବରକୁ ରୋଗୀର ସ୍ୱାସ୍ଥ୍ୟାବସ୍ଥା ବୁଝିବା ନେଇ ଯୋଗାଯୋଗ କରିଥିବା ବେଳେ ସେ ଆଇ.ସି.ୟୁରେ ଥିବା ମେଡିକାଲ୍ ପକ୍ଷରୁ କର୍ତୃପକ୍ଷ ସୂଚନା ଦେଇଥିଲେ । ଏମିତିକି ଭିଡିଓ କଲ କରି ରୋଗୀକୁ ଦେଖାଇବା ପାଇଁ ପରିବାର ଲୋକେ ଅନୁରୋଧ କରିଥିଲେ । ପରବର୍ତି ସମୟରେ ଭିଡିଓ କଲ କରି ଯେଉଁ ରୋଗୀଙ୍କୁ ପରିବାର ଲୋକଙ୍କୁ ଦେଖାଯାଇଥିଲା ସେହି ରୋଗୀ ବସନ୍ତ ସାହୁ ନଥିବା ଜଣାପଡିଛି ।ତେବେ ଜଣେ ରୋଗୀଙ୍କ ଗତ ୨୪ ତାରିଖରୁ ମୃତ୍ୟୁ ଘଟିଥିବା ବେଳେ ପୁଣି ପରିବାର ଲୋକଙ୍କୁ ମିଛ କହି ଏଭଳି ଭୂଆଁ ବୁଲାଇବା ନିତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ବୋଲି କହିଛି ଗଞ୍ଜାମ ବିଜେପି । ଗଞ୍ଜାମ ଜିଲ୍ଲା ବର୍ତମାନ ହଟଷ୍ପଟରେ ଥିବା ବେଳେ ଲୋକଙ୍କୁ ପ୍ରଶାସନ ଏବଂ କୋଭିଡ ହସ୍ପିଟାଲ କତୃପକ୍ଷଙ୍କ ଏଭଳି ଭୁଲ ମନ୍ତବ୍ୟ ଦେବା କଥା ଏବେ ସନ୍ଦେହ ସୃଷ୍ଟି କରୁଛି । । ଅନ୍ୟପଟେ ଘର ପାଖକୁ ଆସି କରୋନା ସନ୍ଦେହରେ ରୋଗୀଙ୍କୁ ମେଡିକାଲ ନନେବା ଏବଂ ରୋଗୀଙ୍କୁ ମୃତ୍ୟୁ ଘଟଣା ଏବେ ଜିଲ୍ଲାବାସୀଙ୍କୁ ଆହୁରୀ ଭୟବିତ କରୁଛି । ତେଣୂ ଜିଲ୍ଲାରେ ବର୍ତମାନ ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କେବଳ ବାହାସ୍ପଟ ନମାରି ଜିଲ୍ଲା ପ୍ରତି ତୁରନ୍ତ ଦୃଷ୍ଟି ଦେବା ସହ ଜିଲ୍ଲା ପ୍ରଶାସନ କରୋନା ଯୁଦ୍ଧରେ ସଠିକ ଭାବେ ଲଢେଇ କରି ଯେଉଁଭଳି ଲୋକେ ଭରଷା ନତୁଟାଇବେ ସେ ପ୍ରତି ଧ୍ୟାନ ଦେବାକୁ ଗଞ୍ଜାମ ଜିଲ୍ଲା ପୂର୍ବତନ ବିଜେପି ସଭାପତି କାହ୍ନୁ ଚରଣ ପତି ଦାବି କରିଛନ୍ତି । ଆଗାମୀ ଦିନ ମାନଙ୍କରେ ଯଦି ଜନସାଧାରଣଙ୍କ ସହ ଜିଲ୍ଲା ପ୍ରଶାସନ ଏଭଳି ଭୂଆଁ ବୁଲାଇବେ ନିତି ଜାରି ରଖେ ଏବଂ ନିରିହ ଲୋକ ପ୍ରାଣ ହରାନ୍ତି ତେବେ ଏନେଇ ଗଞ୍ଜାମ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ନେତା କାହ୍ନୁ ପତି ଚେତାବନୀ ଦେଇଛନ୍ତି ।


