କଟକଣା ନମାନିବାର ଫଳ ବେଦାନ୍ତ କଂପାନୀରେ ପଶିଲା କରୋନା

ଭବାନୀପାଟଣା, (ଓ୍ବାଇଏନ୍ଏସ୍):ଯେତେବେଳେ ସାରା ଦେଶରେ ଲକଡାଉନ୍ ହେଲା ଲୋକେ ଘରୁ ବାହାରକୁ ବାହାରିଲେନି । ଯଦି ବାହାରିଲେ ପୁଲିସଠାରୁ ଛେଚା ଖାଇଲେ । ପ୍ରଥମ ଲକଡାଉନଠାରୁ ଆରମ୍ଭ କରି ପଞ୍ଚମ ଲକଡାଉନ ଯାଏଁ ସାଧାରଣ ଲୋକେ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଆଦି ସଂପୂର୍ଣ୍ଣ ବନ୍ଦ ରହିଲା । ସାରା ଦେଶରେ ଲକଡାଉନକୁ କଡାକଡି କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ସହିତ ଖୋଦ୍ ସୁପ୍ରିମକୋର୍ଟ୍ ଏହାକୁ ସୁନିଶ୍ଚିତ କରିବାକୁ ସରକାରଙ୍କୁ ତାଗିଦ୍ କରିଥିଲେ । ତେବେ ଆଶ୍ଚର୍ଯ୍ୟର ବିଷୟ କଳାହାଣ୍ଡି ଜିଲ୍ଲାର ଏକମାତ୍ର ଶିଳ୍ପ ପ୍ରକଳ୍ପ ବେଦାନ୍ତ ଲିମିଟେଡକୁ କଳାହାଣ୍ଡି ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଆଦେଶ ବଳରେ ଯଥାରୀତି ଚାଲିବାକୁ ଅନୁମତି ଦିଆଗଲା । ଏଥିପାଇଁ ଉଭୟ ପ୍ରଶାସନ ଓ କଂପାନୀ ପକ୍ଷରୁ ସଫେଇ ଦେଇ କୁହାଗଲା ଯେ, କଂପାନୀ କର୍ତ୍ତୃପକ୍ଷ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ସବୁପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରି କମ୍ ସଂଖ୍ୟକ କର୍ମଚାରୀରେ କାମ ଚାଲିଛି ବୋଲି । ଏହା ପରେପରେ କଂପାନୀ ସଂଲଗ୍ନ ବସନ୍ତପଡା ସଙ୍ଗରୋଧ କେନ୍ଦ୍ରରେ ସାତ ଜଣ କରୋନା ପଜିଟିଭ ବାହାରିଲାବେଳେ ବି ସେଇ ସମାନ କଥା କୁହାଗଲା । ସପ୍ତାହେ ତଳେ ପଡୋଶୀ ରାୟଗଡା ଜିଲ୍ଲା ମୁନିଗୁଡାଠାରେ ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଓ ମୁନିଗୁଡା ସହିତ ଲାଞ୍ଜିଗଡ ଓ କଂପାନୀର ସିଧାସଳଖ ଲିଙ୍କ୍ ଥିବାସତ୍ତ୍ୱେ ଏଥିପ୍ରତି ଗୁରୁତ୍ୱ ଦିଆଗଲା ନାହିଁ । ଏହି ସମୟରେ ଆଗୁଆ ସତର୍କ ପଦକ୍ଷେପ ସ୍ୱରୂପ ଲାଞ୍ଜିଗଡ, ବିଶ୍ୱନାଥପୁର ଓ ବେଦାନ୍ତର ପ୍ରକଳ୍ପ ଥିବା ବସନ୍ତପଡା ପଞ୍ଚାୟତକୁ ସରପଞ୍ଚମାନେ ସଟଡାଉନ୍ ଘୋଷଣା କରିଥିବାବେଳେ ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚଙ୍କ ନିର୍ଦ୍ଦେଶକୁ ମଧ୍ୟ କଂପାନୀ ବେଖାତିର କରିଥିଲା । ଏବେ ସବୁପ୍ରକାର କଟକଣାକୁ ଅଣଦେଖା କରିବାର ଫଳ କଂପାନୀକୁ ଭୋଗିବାକୁ ପଡିଛି । କଂପାନୀର କମର୍ସିଆଲ ବିଭାଗରେ କାମ କରୁଥିବା ୨୪ ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନରୁ ସଦ୍ୟ ପ୍ରାପ୍ତ ପ୍ରେସ୍ ରିଲିଜରୁ ସୂଚନା ମିଳିଛି । ତେବେ କଂପାନୀ କର୍ମଚାରୀମାନେ ଆକ୍ରାନ୍ତ ଚିହ୍ନଟ ହେବାପରେ କଂପାନୀ କର୍ମଚାରୀ ଓ ଲାଞ୍ଜିଗଡ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଏ ସଂପର୍କରେ ଖବର ପାଇବା ପରେ ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ଭବାନୀପାଟଣା ଉପଜିଲ୍ଲାପାଳ ସୁଶାନ୍ତ ସିଂ ଲାଞ୍ଜିଗଡରେ ପହଞ୍ଚୀ ଛନ୍ତି । ଆକ୍ରାନ୍ତ କଂପାନୀ କର୍ମଚାରୀମାନଙ୍କ ମୁନିଗୁଡା ଲିଙ୍କ ଥିବା ସନ୍ଦେହ କରାଯାଉଥିବାବେଳେ ଷ୍ଟାଫ୍ କଲୋନୀରେ ରହୁଥିବାରୁ ସୁରକ୍ଷା ଦୃଷ୍ଟିରୁ ବସନ୍ତପଡା, ଜଗନ୍ନାଥପୁର, ବଣ୍ଡେଲଠାରେ ମଧ୍ୟ ଲୋକଙ୍କ ସ୍କ୍ରିନିଂ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ଜଣାପଡିଛି । ତେବେ ପଡୋଶୀ ରାୟଗଡା ଜିଲ୍ଲାରେ ସଂକ୍ରମଣର ଭୟାବହତା ଦେଖି ଦହିଖାଲ-ଲାଞ୍ଜିଗଡ ରାସ୍ତାକୁ ସିଲ୍ କରାଯାଇଥିଲେ ଆଜିର ପରିସ୍ଥିତି ଉପୁଜି ନଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି । ଏହା ସହିତ ବର୍ତ୍ତମାନ କଂପାନୀ ସିଲ୍ କରାଯିବ କି ନାହିଁ ତାହା ଏକ ବିରାଟ ପ୍ରଶ୍ନବାଚୀ ସ୍ରୁଷ୍ଟି କରିଛି !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ